ସୁଶାନ୍ତ-ରିୟାଙ୍କ ସମ୍ପର୍କ ରହସ୍ୟ ଖୋଲିଲେ ଆଟେଣ୍ଡାଣ୍ଟ

ମୁମ୍ବାଇ: ଦେଢ଼ ବର୍ଷ ହେଲା ସୁଶାନ୍ତ ସିଂହ ରାଜପୁତଙ୍କ ଘରେ ହାଉସକିପିଂ ଷ୍ଟାଫ୍ ଓ ସୁଶାନ୍ତଙ୍କ ବ୍ୟକ୍ତିଗତ ଆଟେଣ୍ଡାଣ୍ଟ ନୀରଜ ସିଂହ ଖୋଲିଛନ୍ତି ସୁଶାନ୍ତ-ରିୟାଙ୍କ ସମ୍ପର୍କର ଗୁମର । ସେ କାମ ଆରମ୍ଭ କରିବା ଦିନଠାରୁ ସୁଶାନ୍ତ ଆତ୍ମହତ୍ୟା କରିବା ଦିନ (ଜୁନ ୧୪) ପର୍ଯ୍ୟନ୍ତ ସବୁ କିଛି ସ୍ପଷ୍ଟ କରିଛନ୍ତି ନୀରଜ। 

ନୀରଜ ଦେଇଥିବା ବୟାନ ଅନୁସାରେ ସୁଶାନ୍ତଙ୍କ ଶୋଇବା ଘରର କବାଟ ତଡ଼ାଯିବା ପରେ ତାଙ୍କର ଶବ ପଙ୍ଖାରେ ଝୁଲୁଥିବା ଦେଖାଯାଇଥିଲା । ନୀରଜ ହେଉଛନ୍ତି ସେହି ବ୍ୟକ୍ତି ଯିଏ ୧୪ ତାରିଖ ସକାଳେ ସୁଶାନ୍ତଙ୍କୁ ଥଣ୍ଡା ପାଣି ପିଇବାକୁ ଦେଇଥିଲେ । ଏହାପରେ ସୁଶାନ୍ତଙ୍କୁ ନେଇ ଯାହା ସବୁ କିଛି ଘଟିଥିଲା ତାହାର ଘଟଣାକ୍ରମ ବଖାଣିଛନ୍ତି ନୀରଜ ।  ନୀରଜ କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁର ଦିନକ ପୂର୍ବରୁ ଘରେ କୌଣସି ପାର୍ଟି ହୋଇ ନ ଥିଲା । ଘରର ସମସ୍ତ କର୍ମଚାରୀ ଘରେ ଥିଲେ ।

ଜୁନ ୮ ତାରିଖରେ ରିୟା ଘର ଛାଡ଼ି ଚାଲିଯିବା ସମୟରେ ସୁଶାନ୍ତଙ୍କ ସହ କୌଣସି ଝଗଡ଼ା ହୋଇଥିବା ସେ ଦେଖି ନ ଥିଲେ। ମାତ୍ର ଏ ସମ୍ପର୍କରେ ଶୁଣିଥିଲେ ଉଭୟଙ୍କ ମଧ୍ୟରେ ମଝି​‌ରେ ମଝିରେ ଛୋଟଛୋଟ କଥା କଟାକଟି ହୋଇଥାଏ । ଏହା କିଛି ବଡ଼ କଥା ନ ଥିଲା । ଦେଢ଼ ବର୍ଷ ମଧ୍ୟରେ ସେ ଉଭୟଙ୍କ ମଧ୍ୟରେ କୌଣସି ବଡ଼ ଝଗଡ଼ା ଦେଖି ନ ଥିଲେ ବୋଲି ନୀରଜ କହିଛନ୍ତି ।  ନୀରଜଙ୍କ ସୂଚନାନୁସାରେ ଜୁନ ୮ ତାରିଖରେ ଘରଛାଡ଼ି ରିୟା ଚାଲିଯିବା ବେଳେ ସୁଶାନ୍ତ ନିଜ କୋଠରୀ ମଧ୍ୟରେ ଥିଲେ । ରିୟା ଗଲାବେଳେ ଲୁଗାପଟା ଭର୍ତ୍ତି ବ୍ୟାଗ ସାଥୀରେ ନେଇ ଯାଇଥିଲେ । ମେଡ଼ିକାଲ ଫାଇଲ ଓ ଲାପଟପ ସମ୍ପର୍କ​‌ରେ ସେ କିଛି ଜାଣନ୍ତି ନାହିଁ ।

ସୁଶାନ୍ତ-ରିୟାଙ୍କ ମଧ୍ୟରେ ଗଭୀର ଭଲପାଇବା ଥିଲା ଓ ପ୍ରତ୍ୟେକ କଥାରେ ରିୟାଙ୍କ ସହ ପରାମର୍ଶ କରୁଥିଲେ । ଏପରିକି ଘରର ବିଭିନ୍ନ ଦୈନନ୍ଦିନ କାର୍ଯ୍ୟ, ଘରର ଆର୍ଥିକ ନିୟନ୍ତ୍ରଣ ରିୟା ନିଜ ହାତରେ ରଖିଥିଲେ । ରିୟା ଘରର ସମସ୍ତ ନିଷ୍ପତ୍ତି ନିଜେ ନେଉଥିଲେ । କିଛି କର୍ମଚାରୀଙ୍କୁ ବାହାର କରିବା ଓ କିଛି କର୍ମଚାରୀଙ୍କୁ ସେ ନିଯୁକ୍ତି ଦେଇଥିଲେ । ୟୁରୋପରୁ ଫେରିବା ପରେ ସୁଶାନ୍ତଙ୍କ ଦେହ ଖରାପ ହୋଇଥିଲା ବୋଲି ନୀରଜ କହିବା ସହ ସୁଶାନ୍ତ ଅବସାଦ (ଡ଼ିପ୍ରେସନ)ରେ ରହୁଥିବା ସମ୍ପର୍କରେ ସେ କିମ୍ବା ଅନ୍ୟ କର୍ମଚାରୀମାନେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି । ତେବେ ସୁଶାନ୍ତଙ୍କ ଚିକିତ୍ସା ଓ ଔଷଧ କଥା ନିଜେ ରିୟା ବୁଝୁଥିଲେ ବୋଲି ନୀରଜ ସୂଚନା ଦେଇଛନ୍ତି ।

ମତାମତ ଦିଅନ୍ତୁ ।