ସୁସ୍ଥ ହେଉଛନ୍ତି କପିଳ ଦେବ

ନୂଆଦିଲ୍ଲୀ : ହୃଦ୍‌ଘାତରେ ଶିକାର ହୋଇ ନୂଆଦିଲ୍ଲୀର ଫୋର୍ଟିଜ ଏସ୍କର୍ଟସ ହସପିଟାଲରେ ଚିକିତ୍ସିତ ହେଉଥିବା ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ କପିଳ ଦେବ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ହସ୍‌ପିଟାଲ ବେଡ୍‌ରୁ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ସେ ତାଙ୍କର ସ୍ୱଭାବିକ ହସ ସହ ‘ଥମ୍ପସ୍‌ ଅପ୍‌’ କରୁଛନ୍ତି।

ହୃଦ୍‌ଘାତରେ ଶିକାର ହେବା ପରେ ନୂଆଦିଲ୍ଲୀର ଫୋର୍ଟିଜ ଏସ୍କର୍ଟସ ହସପିଟାଲରେ କପିଳ ଦେବଙ୍କର ଆଞ୍ଜିଓପ୍ଲାଷ୍ଟି’ କରାଯାଇଛି। ଡାକ୍ତର ଅତୁଲ ମାଥୁର ଓ ତାଙ୍କ ଟିମ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିକିତ୍ସା ଚାଲିଛି। କପିଳଙ୍କ ଅସୁସ୍ଥତା ଖବରରେ ପ୍ରଶଂସକ, ଶୁଭେଚ୍ଛୁ ଓ ସାଙ୍ଗସାଥୀମାନେ ଉଦ୍‌ବେଗ ପ୍ରକାଶ କରିବା ସହିତ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ସେଥିପାଇଁ କପିଳ ଦେବ ଉଭୟ ଇନ୍‌ଷ୍ଟାଗ୍ରାମ ଓ ଟ୍ୱିଟରରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି ‘ମୋ ପ୍ରତି ଆପଣମାନଙ୍କ ଭଲ ପାଇବା ଓ ଚିନ୍ତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆପଣଙ୍କ ଶୁଭେଚ୍ଛାରେ ମୁଁ ଅଭିଭୂତ ଓ ସୁସ୍ଥତାର ପଥରେ ରହିଛି।’

ମତାମତ ଦିଅନ୍ତୁ ।