ସ୍ୱାଭିମାନ ଅଞ୍ଚଳରେ ସ୍ମାର୍ଟଫୋନ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରିର ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ସିଧାସଳଖ ଫୋନ ଯୋଗେ କଥା ହେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିକାଶ କାମର ସମୀକ୍ଷା ସହିତ ୯ଟି ପଞ୍ଚାୟତରେ ଫୋର-ଜି ମୋବାଇଲ ଫୋନ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

୨୦୧୮ ଜୁଲାଇରେ ଗୁରୁପ୍ରିୟା ସେତୁ ଉଦଘାଟନ ପରେ ବାଲିମେଳା ଜଳ ଭଣ୍ଡାର ଆରପଟେ ଥିବା ୯ଟି ପଞ୍ଚାୟତକୁ ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ବେଳେ ଏଠାକାର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସେହି ଅଞ୍ଚଳରେ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକ କେତେ ସଫଳ ହୋଇଛି ସେ ସମ୍ପର୍କରେ ଲୋକଙ୍କ ସହ କଥା ହୋଇଥିଲେ।

ସ୍ୱାଭିମାନ ଅଞ୍ଚଳରେ ଭାରତୀ ଏୟାରଟେଲ ପକ୍ଷରୁ ୪-ଜି ଟାୱାର ସ୍ଥାପନ କରାଯାଇଥିବାରୁ ଏହି ସେବା ଲୋକଙ୍କ ପାଖରେ ପହଞ୍ଚାଇବାକୁ ୯ଟି ପଞ୍ଚାୟତର ପ୍ରତ୍ୟେକ ଲୋକଙ୍କୁ ମୋବାଇଲ ଫୋନ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଠାରେ ଆଉ ୩ଟି ମୋବାଇଲ ଟାୱାରର ନିର୍ମାଣ ଯୋଜନା ରହିଛି। ଯାହାଫଳରେ ପିଲାମାନଙ୍କ ପାଠପଢାରେ ସୁବିଧା ହେବ। ଏହାଛଡ଼ା ୪୧୯ଟି ଡିପ୍ ବୋରୱେଲ କରି ୧୭୦୦ ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯିବ। ଏହି ଅବସରରେ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନକ୍ସଲଙ୍କୁ ଆହ୍ୱାନ ଦେଇଛନ୍ତି।

ମତାମତ ଦିଅନ୍ତୁ ।