ଟମାଟୋ କିଲୋ ୧୦୦ ଟଙ୍କା

ନୂଆଦିଲ୍ଲୀ : କରୋନା ସଙ୍କଟ ମଧ୍ୟରେ ଦେଶରେ ପନିପରିବା ଦାମ ଆକାଶ ଛୁଆଁ ହୋଇଛି। ବୃଦ୍ଧି ପାଇଛି ଆଳୁ, ପିଆଜ ଓ ଅନ୍ୟାନ୍ୟ ପନିପରିବାର ଦାମ। ଟମାଟୋ କିଲୋ ପ୍ରତି ମୂଲ୍ୟ ୧୦୦ ଟଙ୍କାରେ ପହଞ୍ଚିଛି। ଉପଭୋକ୍ତା ମନ୍ତ୍ରାଳୟର ସୂଚନା ଅନୁଯାୟୀ ସୋମବାର କୋଲକାତାରେ ଟମାଟୋ ୧୦୦ ଟଙ୍କାରେ ବିକ୍ରି ହୋଇଛି। ସେପ୍ଟେମ୍ବର ମାସରେ ଦାମ ୪୦ ଟଙ୍କା ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି।

ସେହିପରି ଦେଶର ଅନ୍ୟ ସହରମାନଙ୍କରେ ଟମାଟୋ ଦାମ ବଢିଛି। ରାଜଧାନୀ ଦିଲ୍ଲୀରେ ଟମାଟୋ କିଲୋ ପ୍ରତି ୬୩ ଟଙ୍କା, ମୁମ୍ବାଇ ଓ ପାଟନାରେ ୬୫ ଟଙ୍କା, ଲକ୍ଷ୍ନୌ ୭୦ ଟଙ୍କା ଓ ଗୁରୁଗ୍ରାମ, ଶିମଲା, ଲୁଧିଆନାରେ କିଲୋ ପ୍ରତି ୬୦ ଟଙ୍କା ଛୁଇଁଛି। କେବଳ ଟମାଟୋ ନୁହେଁ ଆଳୁ ପିଆଜ ଦାମ ବଢିଛି। ଅଧିକାଂଶ ସହରରେ ଆଳୁ କିଲୋ ୩୫ରୁ ୪୦ ଟଙ୍କା ରହିଛି। କିଛି ସହରରେ ଆଳୁ ୪୫ ଟଙ୍କାରେ ବିକ୍ରି ହୋଇଛି। ଉପଭୋକ୍ତା ମନ୍ତ୍ରାଳୟ ଅନୁସାରେ ସୋମବାର ଦିଲ୍ଲୀରେ ଆଳୁ ୩୭ ଟଙ୍କା, ଗୁରୁଗ୍ରାମରେ ୩୫, ଶିମଲାରେ ୪୫, ଲୁଧିଆନାରେ ୪୦, ମୁମ୍ବାଇରେ ୪୪, ପାଟନାରେ ୩୬ ଓ କୋଲକାତାରେ ଦାମ ରହିଥିଲା ୩୨। ଦିଲ୍ଲୀରେ ପିଆଜ ଦାମ ୪୧ ଟଙ୍କା ହେବାରୁ ଦାମ ବୃଦ୍ଧି ରୋକିବାକୁ ସରକାର ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

କୁହାଯାଉଛି ଲଗାଣ ବର୍ଷା ଯୋଗୁଁ ମଣ୍ଡିରେ ପନିପରିବା ଯୋଗାଣ ପ୍ରଭାବିତ ହେବାରୁ ଦାମ ବୃଦ୍ଧି ପାଉଛି। ଏହାଛଡା ଡିଜେଲ ଦାମ ମୂଲ୍ୟ ବୃଦ୍ଧି ହୋଇଥିବାରୁ ପନିପରିବା ମଣ୍ଡି ଯାଏଁ ପହଞ୍ଚାଇବାକୁ ଅଧିକ ଶୁଳ୍କ ଲାଗୁଛି। ଏହା ମଧ୍ୟ ପନିପରିବା ଦାମ ବୃଦ୍ଧିର ଅନ୍ୟ ଏକ କାରଣ ହୋଇଛି।

ମତାମତ ଦିଅନ୍ତୁ ।