ଟମାଟୋ ଟଙ୍କାଏ ଓ ବାଇଗଣ ୫ ଟଙ୍କା

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଟମଟୋ କିଲୋ ଏକ ଟଙ୍କା। ବାଇଗଣ ୫ ଟଙ୍କା ଓ କୋବି ଗୋଟା ୩ରୁ ୪ ଟଙ୍କାରେ ଚାଷୀ ବିକିବାକୁ ବାଧ୍ୟ ହେଉଛନ୍ତି।
ଚଳିତ ବର୍ଷ ଭଲ ଫସଲ ହୋଇଛି। କିନ୍ତୁ ବଜାର ସୁବିଧା ନଥିବାରୁ ଚାଷୀଙ୍କ ଉତ୍ପାଦିତ ପନିପରିବା ବିକ୍ରି ହୋଇପାରୁନି। ଏସବୁ ନଷ୍ଟ ହେଉଥିବାରୁ ଚାଷୀମାନେ କମ ଦାମରେ ବିକ୍ରି କରୁଛନ୍ତି। ମିରିଗା, ଅଫୁଲା, ଦେଉଳୀ, ଭୈରବପୁର, ଲୁଙ୍ଗା ଓ ଅରଣ୍ଡୁଆ ଅଞ୍ଚଳରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି।
ଚାଷୀମାନଙ୍କ କହିବା ଅନୁଯାୟୀ ଚାହିଦା ନଥିବା କହି ବ୍ୟବସାୟୀ କିଣୁନଥିବାରୁ ଟମାଟୋ କିଲୋ ୧ ଟଙ୍କାରେ ବିକ୍ରି ହେଉଛି। ବାଇଗଣ କିଲୋ ୫ ଟଙ୍କା ଓ କୋବି ଗୋଟାକୁ ୩ରୁ ୪ଟଙ୍କାରେ ବିକ୍ରି କରିବାକୁ ପଡୁଛି। ଫଳରେ ଚାଷ ପାଇଁ ହୋଇଥିବା ଖର୍ଚ୍ଚ ଉଠିବନି। କେତେକ ଚାଷୀ କ୍ଷେତରୁ ଟମାଟୋ ନ ତୋଳି ଲୋକଙ୍କୁ ମାଗଣାରେ ନେଇଯିବାକୁ କହୁଛନ୍ତି। ଚାଷୀମାନଙ୍କର ଏହି ପରିସ୍ଥିତି ଶୀତଳ ଭଣ୍ଡାର ନଥିବା କାରଣରୁ ହେଉଛି। ଯଦି ଏହି ସମସ୍ୟାର ସମାଧାନ ହୋଇପାରନ୍ତା ତେବେ ଚାଷୀ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି।