ଠକାମିର ଶିକାର ହୋଇ ୪ ବର ଶିଶୁପାଳ ହେଲେ

ଭୋପାଳ : ଗୋଟିଏ ଝିଅକୁ ବିବାହ କରିବାକୁ ଯାଇ ଚାରି ବର ଶିଶୁପାଳ। ବରଯାତ୍ରୀ ଯାଇଥିବା ବନ୍ଧୁ ଓ ପରିବାର ସଦସ୍ୟଙ୍କୁ ନିରାଶ ହେବାକୁ ପଡିଛି। ସମସ୍ତେ ହୋଇଛନ୍ତି ଠକାମିର ଶିକାର। ଏପରି ଏକ ଘଟଣା ଭୋପାଳରେ ଘଟିଥିବା ଜଣାପଡିଛି।
ସାଧାରଣତଃ ବିବାହ ପାଇଁ ଜଣେ ମଧ୍ୟସ୍ଥିଙ୍କର ଆବଶ୍ୟକ ପଡିଥାଏ। ଏଥିପାଇଁ ମଧ୍ୟସ୍ଥିମାନେ ଯେଉଁ ସମୟ ଦିଅନ୍ତି ସେ ବାବଦରେ ଅର୍ଥ ନିଅନ୍ତି। ଏବେ କିଛି ଲୋକଙ୍କର ମଧ୍ୟସ୍ଥତା ଏକ ସିଜନ ବେପାରରେ ପରିଣତ ହୋଇଛି। ବିବାହ ମାସ ଆସିଲେ ସେମାନେ ଏହି କାର୍ଯ୍ୟକୁ ପ୍ରଥମିକତା ଦେଉଛନ୍ତି। କେବଳ ସେମାନେ ନୁହନ୍ତି ମାଟ୍ରିମୋନିଆଲ ସାଇଟ୍ ମଧ୍ୟ ମଧ୍ୟସ୍ଥତା ଭୂମିକା ତୁଲାଉଛି। ଯାହା ଉପରେ ଅନେକ ବିବାହଯୋଗ୍ୟ ପୁଅ-ଝିଅମାନଙ୍କ ପିତା-ମାତାମାନେ ନିର୍ଭର କରୁଛନ୍ତି। ଏହାର ସୁଯୋଗ ନେଇଛନ୍ତି ଭୋପାଳର ଏକ ଠକ ଗ୍ୟାଙ୍ଗ। ଗୋଟିଏ କିମ୍ବା ଦୁଇଟି ନୁହେଁ ଚାରିଜଣଙ୍କ ଠାରୁ ଅର୍ଥ ନେଇ ଠକିଛନ୍ତି।
ଖବର ଅନୁଯାୟୀ ବିବାହ ପାଇଁ ବରଯାତ୍ରୀଙ୍କୁ ଧରି ଗୋଟିଏ ଠିକଣାରେ ପହଞ୍ଚିଥିଲେ ୪ ବର। କିନ୍ତୁ ଯେଉଁଠି ବିବାହ ହେବାର ଥିଲା ସେଠାରେ ତାଲା ଝୁଲୁଥିଲା। ପୂର୍ବରୁ ତିନିଜଣ ଆସି ଫେରିଥିଲେ। ୪ର୍ଥ ବର ଭୋପାଳର କୋଲାର ଅଞ୍ଚଳରେ ଥିବା ଜନ କଲ୍ୟାଣ ସମିତି କାର୍ଯ୍ୟାଳୟରେ ପହଞ୍ଚିଲେ। କିନ୍ତୁ ସେଠାରେ ତାଲା ପଡ଼ିଥିବା ଦେଖି ବର ଓ ବରଯାତ୍ରୀ ଆଶ୍ଚର୍ଯ୍ୟ ହୋଇଥିଲେ। ସ୍ଥାନୀୟ ଲୋକଙ୍କୁ ପଚାରିବାରୁ ଜଣାପଡ଼ିଲା ସେଠାରେ ବିବାହ ନେଇ କୌଣସି ସୂଚନା ନାହିଁ। ଏହାପରେ ତାଙ୍କୁ ଦିଆଯାଇଥିବା ଫୋନ୍ ନମ୍ବରରେ କଲ୍ କରିଥିଲେ। ହେଲେ ଫୋନ୍ ସ୍ଵିଚ୍ ଅଫ। କିଛି ଗଡ଼ବଡ଼ ଆଶଙ୍କାରେ ବର ଓ ପରିବାର ଲୋକେ କୋଲାର ଥାନାରେ ପହଞ୍ଚିଲେ। କିନ୍ତୁ ଯାହା ଦେଖିଲେ ଚିନ୍ତା ବଢିଗଲା। କାରଣ ସେମାନଙ୍କ ପୂର୍ବରୁ ସମାନ ଅଭିଯୋଗ ନେଇ ୩ ବର ଓ ସେମାନଙ୍କ ପରିବାର ଥାନାରେ ପହଞ୍ଚିଛନ୍ତି।
କୋଲାର ଥାନା ପୋଲିସ ଅଭିଯୋଗ ପାଇବା ପରେ କୌଣସି ଠକ ଗ୍ୟାଙ୍ଗ ଏସବୁ କରିଥିବା ସନ୍ଦେହ କରିଥିଲା। ବରପକ୍ଷଙ୍କୁ ଦିଆଯାଇଥିବା ମୋବାଇଲ୍ ନମ୍ବର ଟ୍ରେସ୍ କରି ୩ ଜଣଙ୍କୁ ପୋଲିସ ଗିରଫ କରିଛି। ଏଥିରେ ଅଛନ୍ତି ଦୁଇ ପୁରୁଷ ଓ ଜଣେ ମହିଳା। ଆଉ ଜଣାପଡିଲା ସେମାନଙ୍କର କାମ ହେଲା ଯେଉଁ ସବୁ ଜିଲ୍ଲାରେ ବିବାହ ପାଇଁ ଯୁବକମାନଙ୍କୁ ଯୁବତୀ ମିଳୁନାହାନ୍ତି ସେଠାରେ ବରପକ୍ଷର ଯୋଗାଯୋଗରେ ରହି ବିବାହ କରାଇଦେବାକୁ ପ୍ରତିଶ୍ରୁତି ଦିଅନ୍ତି। ସେମାନେ ଝିଅକୁ ଦେଖିବାକୁ ଆସିଲେ ଭଡ଼ାରେ ଝିଅ ଠିକ୍ କରି ଦେଖାଇ ଦିଆଯାଏ। ଝିଅ ପସନ୍ଦ ହେଲେ ବର ପରିବାର ପାଖରୁ ୨୦ ହଜାର ଟଙ୍କା ନିଅନ୍ତି। ଠକାମୀରେ ଶିକାର ହୋଇଥିବା ୪ ବର ପକ୍ଷ ସେମାନଙ୍କୁ ୨୦ ହଜାର ଲେଖାଏଁ ଦେଇଛନ୍ତି। ପୋଲିସ ଏହି ଠକ ଗ୍ୟାଙ୍ଗର ପର୍ଦ୍ଦଫାସ କରିଥିବା ବେଳେ ସେମାନଙ୍କ ବିରୋଧରେ ପୂର୍ବରୁ କୌଣସି ମାମଲା ଅଛି କି ନାହିଁ ତଦନ୍ତ ଚଳାଇଛି।