ଥାଲାସେମିଆ ରୋଗୀଙ୍କୁ ରକ୍ତ ନଦେଇ ଫେରାଇଦେଲା କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର

ଭୁବନେଶ୍ଵର : କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରରୁ ଥାଲାସେମିଆ ରୋଗୀକୁ ରକ୍ତ ମିଳିଲାନି। ରକ୍ତ ଥାଇ ଏଭଳି ନିରାଶ କରାଯାଉଥିବା ପ୍ରତିବାଦରେ ରୋଗୀ ସହ ସମର୍ପିତ ଓ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ସଦାଶିବ ଜେନା ରକ୍ତଭଣ୍ଡାର ପରିସରରେ ଧାରଣାରେ ବସିଥିଲେ।

ରକ୍ତ ଅଭାଵରୁ ରାଜ୍ୟରେ କାହାରିକୁ ମରିବାକୁ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଦେଇଛନ୍ତି। ଏହି ଆହ୍ଵାନକୁ ଗ୍ରହଣ କରିନେଇ ରାଜ୍ୟର ବିଭିନ୍ନ ସଂଗଠନ ରକ୍ତଦାନ ଶିବିର ଆୟୋଜନ କରି ଆସୁଛନ୍ତି। ତନ୍ମଧ୍ୟରୁ ସେବା ଓ ସମର୍ପିତ ଅନୁଷ୍ଠାନ ମଧ୍ୟ କରୋନା ମହାମାରୀ ସମୟରେ କଟକ, ଭୁବନେଶ୍ଵର ସମେତ ରାଜ୍ୟର କେତେକ ସ୍ଥାନରେ ଅଦ୍ୟାବଧି ୩୩ଟି ଶିବିର ଆୟୋଜନ କରିଛି। କିନ୍ତୁ ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ଇପ୍ସିତା ଖଟୁଆ ନାମକ ଥାଲାସେମିଆ ରୋଗୀ କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାରରୁ ଗତ ୪ ବର୍ଷ ହେଲା ରକ୍ତ ନେଇ ଆସୁଛନ୍ତି। ହେଲେ ଗତକାଲି ସେ ନିରାଶ ହୋଇଛନ୍ତି।

ସୋମବାର ସେ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରକୁ ସମର୍ପିତର ଏକ କୂପନ ଧରି ରକ୍ତନେବା ପାଇଁ ଆସିଥିଲେ। ତାଙ୍କୁ ଆଜି ଆସିବା ପାଇଁ ରକ୍ତ ଭଣ୍ଡାର ପକ୍ଷରୁ କୁହାଯାଇଥିଲା। ଆଜି ସକାଳେ ସେ ୱାର୍ଡରେ ଆଡ଼ମିଶନ ହେଲେ। କିନ୍ତୁ ରକ୍ତଭଣ୍ଡାର ପକ୍ଷରୁ କୁହାଗଲା ରକ୍ତ ଦିଆଯାଇପାରିବ ନାହିଁ। ତା’ପରେ ସମର୍ପିତ ପକ୍ଷରୁ ଜଣେ ସ୍ଵେଚ୍ଛାକୃତ ରକ୍ତଦାତା ମଧ୍ୟ ଇପ୍ସିତା ପାଇଁ କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାରରେ ସମାନ ଗ୍ରୁପର ରକ୍ତଦାନ କଲେ। ହେଲେ କିନ୍ତୁ ଦୁର୍ଭାଗ୍ୟର କଥା କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ପକ୍ଷରୁ ତାଙ୍କୁ ରକ୍ତ ଦିଆଗଲା ନାହିଁ। ଏହାର ପ୍ରତିବାଦରେ ସମର୍ପିତ ଓ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ସଦାଶିବ ଜେନା ଓ ସମ୍ପାଦକ ସାର୍ଥକ କୁମାର ପରିଡା ରକ୍ତଭଣ୍ଡାର ଆଗରେ ରୋଗୀ ସହ ଦୀର୍ଘ ତିନିଘଣ୍ଟା ଧାରଣାରେ ବସିଥିଲେ। ତଥାପି ଇପ୍ସିତାକୁ ନିରାଶ କରାଗଲା। ଏହି ପରିପ୍ରେକ୍ଷୀରେ ସଦାଶିଵ ଜେନାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟ ମାନଙ୍କୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

ମତାମତ ଦିଅନ୍ତୁ ।