ସଂଶୋଧନ ହେଲା ପେନସନ୍ ନିୟମ

ନୂଆଦିଲ୍ଲୀ : ଭାରତ ସରକାର ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପେନସନ୍‌ ନିୟମରେ  ସଂଶୋଧନ କରିଛନ୍ତି। କେନ୍ଦ୍ର ପେନସନ୍‌ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଶନିବାର ଏହି ସୂଚନା ଦେଇଛନ୍ତି। ସଂଶୋଧିତ ପେନସନ୍‌ ନିୟମରେ ଏବେ ମୃତ କର୍ମଚାରୀଙ୍କ ଦିବ୍ୟାଙ୍ଗ ସନ୍ତାନଙ୍କ ଭରଣପୋଷଣ ଲାଗି ସରକାର ତାଙ୍କୁ ଆଜୀବନ ପେନସନ୍‌ ପ୍ରଦାନ କରିବେ। କେବଳ ଏତିକି ନୁହେଁ ଫ୍ୟାମିଲି ପେନସନ୍‌ ଯୋଜନାରେ ଆହୁରି ଅନେକ ସଂଶୋଧନ କରିଛନ୍ତି ସରକାର। ତେବେ ଆସନ୍ତୁ ଜାଣିବା କ’ଣ ହୋଇଛି ସୁଧାର।

କେନ୍ଦ୍ର ସରକାର ସିଭିଲ ସେବା ପେନସନ୍‌ ନିୟମ ୧୯୭୨(୫୪/୬)ରେ ସଂଶୋଧନ କରିଛନ୍ତି। ଅବସରପ୍ରାପ୍ତ କର୍ମଚାରୀ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁରେ ଆଶ୍ରିତ ପରିବାରକୁ ପେନସନ୍‌ ସୁବିଧା ମିଳୁ ନଥିଲା। ତେବେ ସଂଶୋଧନ ପରେ ଯଦି ଆଶ୍ରିତ ପରିବାରର ଆୟ ପାରିବାରିକ ପେନସନ୍‌ର ୩୦ ପ୍ରତିଶତରୁ ବି କମ୍‌ ତେବେ ସେମାନେ ମଧ୍ୟ ପାରିବାରିକ ପେନସନ୍‌ ପାଇବାକୁ ଯୋଗ୍ୟ ହେବେ।

ସେହିପରି ଅବସରପ୍ରାପ୍ତ କର୍ମଚାରୀଙ୍କ ପରିବାରରେ ଯଦି ଦିବ୍ୟାଙ୍ଗ ସଦସ୍ୟ ଥାନ୍ତି ତେବେ ପେନସନରଙ୍କ ମୃତ୍ୟୁରେ ତାଙ୍କ ପାରିବାରିକ ପେନସନ୍‌ ବନ୍ଦ ହେବନି। ଏହି ରାଶି ଆଜୀବନ ଦିବ୍ୟାଙ୍ଗ ସଦସ୍ୟଙ୍କ ଭରଣପୋଷଣ ଲାଗି ସରକାର ପ୍ରଦାନ କରିବେ। ଦିବ୍ୟାଙ୍ଗଙ୍କ ଲାଗି ସରକାର ସିସିଏସ୍ (ପେନସନ୍) ନିୟମ ୧୯୭୨କୁ  ପେନସନରଙ୍କ ପିଲାଙ୍କ ଯୋଗ୍ୟତା ଲାଗି ଥିବା ଆୟ ମାନଦଣ୍ଡକୁ କୋହଳ କରିଛନ୍ତି।

ସେହି ଅନୁସାରେ ପର୍ସେନଲ ଡିପାର୍ଟମେଣ୍ଟ ପରିବାରରେ ଏପରି ସଦସ୍ୟ ଥିଲେ ସହାୟତା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କାରଣ ଦିବ୍ୟାଙ୍ଗଙ୍କ ଚିକିତ୍ସା ଓ ଦେଖାଶୁଣା ଲାଗି ଅଧିକ ଆର୍ଥିକ ସହାୟତାର ଆବଶ୍ୟକତା ଅନୁଭବ କରୁଥିବା କହିଛନ୍ତି। ସେହିପରି ସରକାର ପେନସନ୍ ସୀମା ମଧ୍ୟ ବୃଦ୍ଧି କରିଥିବା ଜଣାପଡିଛି।

୭୫ ହଜାରରୁ ୧.୨୫ ଲକ୍ଷକୁ ବଢିଲା ଫ୍ୟାମିଲି ପେନସନ ସୀମା
କେନ୍ଦ୍ର ସରକାର କେବଳ ପେନସନ୍‌ ନିୟମରେ ସଂଶୋଧନ କରି ନାହାନ୍ତି, ପେନସନରଙ୍କ ପେନସନ୍‌ ସୀମା ମଧ୍ୟ ବୃଦ୍ଧି କରିଛନ୍ତି। ଫଳରେ ଏପର୍ଯ୍ୟନ୍ତ ୭୫ ହଜାର ଥିବା ସୀମାକୁ ବଢାଇ ୧.୨୫ ଲକ୍ଷ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ଜୀବନଯାପନ ସହଜ ହେବ ବୋଲି କେନ୍ଦ୍ର ପେନସନ୍‌ ମନ୍ତ୍ରୀ କହିଛନ୍ତି।

ପେନସନ୍‌ ନିୟମରେ ଏପର୍ଯ୍ୟନ୍ତ ପେନସନରଙ୍କ ମୃତ୍ୟୁ ହେଲେ ତାଙ୍କ ବିଧବା ପତ୍ନୀଙ୍କୁ ପାରିବାରିକ ପେନସନ୍ ଦିଆଯାଉଥିଲା। ତାଙ୍କ ମୃତ୍ୟୁରେ ପେନସନ୍‌ ସମାପ୍ତ ହେଉଥିଲା। ତେବେ ସଂଶୋଧନରେ ଏବେ ଆଶ୍ରିତ ପରିବାର ମଧ୍ୟ ପେନସନ୍‌ ପାଇବେ।  

Leave a Reply

Your email address will not be published. Required fields are marked *

Back to top button