ରାଜ୍ୟର ସୀମାବର୍ତ୍ତୀ ଗାଁ ଅସୁରକ୍ଷିତ : ସମୀର ମହାନ୍ତି

ଭୁବନେଶ୍ଵର : ରାଜ୍ୟର ସୀମାବର୍ତ୍ତୀ ଅଂଚଳ ଗସ୍ତ କରି ବାସ୍ତବ ସ୍ଥିତି ପରଖି ଫେରିବାପରେ ରାଜ୍ୟ ସରକାରଙ୍କୁ ବିଜେପି କଡ଼ା ସମାଲୋଚନା କରିଛି। ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ସୀମାନ୍ତ ଗାଁ ଅସୁରକ୍ଷିତ, ବାଧ୍ୟବାଧକତାରେ ଓଡ଼ିଶା ଲୋକେ ଏବେ ଆନ୍ଧ୍ର ମୁହାଁ ହୋଇଛନ୍ତି ଓ ଆଉ ଗୋଟିଏ ଷଢ଼େଇକଳା-ଖରସୁଆଁ ଘଟଣାର ପୁନରାବୃତ୍ତି ନହେଉ ବୋଲି ବିଜେପି ସତର୍କ କରାଇ ଦେଇଛି। ରାଜ୍ୟର ସୀମାକୁ ସୁରକ୍ଷିତ ରଖିବା ପାଇଁ ବିଜେପି ଖୁବଶୀଘ୍ର ସୀମାନ୍ତ ସୁରକ୍ଷା ସେଲ୍ ଗଢ଼ିବ ବୋଲି କହିଛି।
ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାରେ ନେତୃତ୍ୱ ନେଇଥିବା ଅଂଚଳ ଓ ଅଂଚଳବାସୀଙ୍କୁ ଉପେକ୍ଷା କରାନଯାଉ।
ଶ୍ରୀକାକୁଲମ୍ ଜିଲ୍ଲା ପ୍ରଶାସନ ଆଜି ସେଠାରେ ନିର୍ବାଚନ କରିଛନ୍ତି। ରାଜ୍ୟ ସରକାର ବିଳମ୍ବରେ ସୁପ୍ରିମକୋର୍ଟ ଯାଇଛନ୍ତି। ଏତେ ବିଳମ୍ବ କାହିଁକି ହେଲା ସେ ପ୍ରଶ୍ନ କରିବା ସହ ଏଥିପାଇଁ ରାଜ୍ୟ ପ୍ରଶାସନ ଓ ଗୁଇନ୍ଦା ବିଭାଗ ଫେଲ୍ ବୋଲି କହିଛନ୍ତି। ଓଡ଼ିଶା ସୀମା ଭିତରେ ଆନ୍ଧ୍ରର ବେଆଇନ ନିର୍ବାଚନର କୌଣସି ସୂଚନା ପ୍ରଶାସନ ପାଖରେ ନଥିଲା। ବିଜେପି ପ୍ରତିନିଧି ଦଳର ଅନୁରୋଧ ରଖି ବହୁ ଗ୍ରାମବାସୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ସହ ନିର୍ବାଚନକୁ ବର୍ଜନ କରିଛନ୍ତି। ସୁପ୍ରିମକୋର୍ଟଙ୍କୁ ବିଳମ୍ବରେ ରାଜ୍ୟ ସରକାର ଜଣାଇଲେ, କିନ୍ତୁ ନିର୍ବାଚନକୁ ରୋକିପାରିଲେ ନାହିଁ। ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ ଗଂଜାମ ଜିଲ୍ଲାର ବହୁ ସୀମାନ୍ତବର୍ତୀ ଗାଁ ମାନଙ୍କରେ ଆନ୍ଧ୍ର ବେଆଇନ ଭାବେ ପଂଚାୟତ ନିର୍ବାଚନ କରୁଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟ ସରକାର ଏହି ସବୁ ତଥ୍ୟକୁ ରାଜ୍ୟବାସୀଙ୍କ ଠାରୁ ଲୁଚାଇ ରଖିବା ପରିତାପର ବିଷୟ।