ମଞ୍ଚ ଉପରେ ବେହୋସ ହୋଇଗଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମଞ୍ଚ ଉପରେ ହଠାତ ସେ ଅସୁସ୍ଥ ହୋଇପଡିଥିଲେ। ଭଡୋଦରାର ନିଜାମପୁର ଅଞ୍ଚଳରେ ନଗରପାଳିକା ନିର୍ବାଚନ ପାଇଁ ପ୍ରଚାର ସମୟରେ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ମଞ୍ଚ ଉପରେ ବେହୋସ ହୋଇ ପଡିଯାଇଥିଲେ। ତାଙ୍କ ସୁରକ୍ଷାକର୍ମୀ ତାଙ୍କୁ ତୁରନ୍ତ ସମ୍ଭାଳି ନେଇଥିଲେ। ତାଙ୍କୁ ଅହମଦାବାଦ ମେହତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ସହ ଗୁଜରାଟ ବିଜେପି ପାର୍ଲିଆମେଣ୍ଟ ବୋର୍ଡରେ ସାଙ୍ଗରେ ରହୁଥିବା ବିଜେପିର ଦୁଇ ବରିଷ୍ଠ ନେତା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସାଂସଦ ବିନୋଦ ଛାବଡାଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ଏହି ନେତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କ କରୋନା ଯାଞ୍ଚ କରାଯାଇପାରେ।
ମେହତା ହସ୍ପିଟାଲ ନିର୍ଦ୍ଦେଶକ ଡ.ଆରକେ ପଟେଲ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ତାଙ୍କୁ ଆଉ ୨୪ ଘଣ୍ଟା ଡାକ୍ତରଙ୍କ ତଦାରଖରେ ରଖାଯିବ। ବିଜୟ ରୁପାଣିଙ୍କ ଇସିଜି, ସିଟି ସ୍କାନ ସମେତ ସମସ୍ତ ମେଡିକାଲ ଟେଷ୍ଟ କରାଯାଇଛି। ଚିନ୍ତା କରିବାର କିଛି କାରଣ ନାହିଁ ବୋଲି ସେ କହିଛନ୍ତି।