ଜେଲ୍‌ରେ ଚାଲିଥିଲା ଖେଳ, ବଦଳିଲେ ୭ କର୍ମଚାରୀ

ଭୁବନେଶ୍ଵର : ଜେଲର କଡ଼ା ସୁରକ୍ଷା ଭିତରେ ଚାଲିଥିଲା ଲଭ ଆଉ ସେକ୍ସ । ଦୀର୍ଘ ୫୦ ଦିନ ପର୍ଯ୍ୟନ୍ତ ଚାଲିଲା ଏପରି ଲୁଚାଛପା ପୀରତି। ହେଲେ  ପ୍ରତାରଣାରେ ପରିଣତ ହେବା ପରେ ଜେଲ୍‌ କାନ୍ଥ ଦେଇ ପଦାରେ ପଡ଼ିଲା ଏପରି ଚାଞ୍ଚଲ୍ୟକର କଥା। ।

ବାଲଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ କାରାଗାରରେ ଏମିତି  ସଂଗିନ୍ ନିର୍ଯାତନାର ଶିକାର ହେବା ନେଇ ପୀଡ଼ିତାଜଣକ ମୁହଁ ଖୋଲିବା ପରେ ତନାଘନା ଆରମ୍ଭ କଲା ଜେଲ୍‌ ବିଭାଗ। ଜେଲ୍‌ର ୮ ଜଣ କର୍ମଚାରୀଙ୍କ ବିରୋଧରେ ଏବେ ବି ତଦନ୍ତ ଜାରି ରହିଥିବା ବେଳେ , ୭ ଜଣଙ୍କୁ ଅନ୍ୟତ୍ର ବଦଳି ପାଇଁ ନିର୍ଦ୍ଦେଶ ହୋଇଛି।

ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ପୀଡ଼ିତା ପାରିବାରିକ କଳହରୁ ଜେଲ୍ ଯାଇଥିଲେ। ଜେଲରେ ୫୦ ଦିନର ରହଣି ଭିତରେ ଜିଏସଟି ଠକେଇ ମାମଲାରେ ବନ୍ଦୀ ଥିବା ତୀର୍ଥଙ୍କର ପଟେଲ ଓରଫ ପପୁଙ୍କ ସହ ପ୍ରଥମେ ସାକ୍ଷାତ ଓ ପରେ ପ୍ରେମ ହୋଇଥିଲା। ଏପରିକି କିଛି ଜେଲ୍ କର୍ମଚାରୀଙ୍କ ସହାୟତାରେ ପପୁ ମହିଳା ସେଲକୁ ଆସି ତାଙ୍କୁ ନିୟମିତ ଦେଖା କରିବା ପରେ ଏ ସଂପର୍କ ନିବିଡ଼ ହୋଇଥିଲା। ଜେଲରୁ ବାହାରିବା ପରେ ବିବାହର ପ୍ରତିଶ୍ରୁତି ଦେଇ ପପୁ ତାଙ୍କ ସହ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ । ଏହା   ଜେଲ୍ କର୍ମଚାରୀଙ୍କ ଜ୍ଞାତସାରରେ ହେଉଥିଲା ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି।

ଅଭିଯୋଗକାରିଣୀଙ୍କ କହିବା ଅନୁସାରେ,  ଜାମିନରେ ମୁକୁଳିବା ପରେ ବି ସେ ନିୟମିତ ପପୁଙ୍କୁ ଦେଖା କରିବାକୁ ଜେଲକୁ ଯାଉଥିଲେ। ତେବେ କିଛି ଦିନ ତଳେ ପପୁ ତାହ୍କୁ ଚିହ୍ନି ନାହାନ୍ତି ବୋଲି କହିଥିବା ପୀଡ଼ିତା ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଛନ୍ତି। କଡ଼ା ସୁରକ୍ଷା ବଳୟ ଭିତରେ ଥିବା ଜେଲ୍‌ରେ  ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା  ଥିବା ସତ୍ତ୍ୱେ କିପରି ଏପରି  ସଙ୍ଗୀନ ଘଟଣା ଘଟିଲା ତାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା।

Leave a Reply

Your email address will not be published. Required fields are marked *

Back to top button