ସରକାର ଲୋକଙ୍କ ଅସୁବିଧାର ଫାଇଦା ନେଉଛନ୍ତି : ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧିକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଛନ୍ତି। ଚିଠିରେ ସୋନିଆ ତୈଳ ଦର ହ୍ରାସ ପୂର୍ବକ ନିଜର ରାଜଧର୍ମ ପାଳନ କରିବାକୁ ମୋଦୀଙ୍କୁ ନିବେଦନ କରିଛନ୍ତି। ତୈଳ ଦର ହ୍ରାସ ପାଇଁ ସରକାର ଏହା ଉପରେ ଆଦାୟ କରୁଥିବା ଟିକସକୁ ହ୍ରାସ କରିବାକୁ କହିଛନ୍ତି। ସୋନିଆ ତାଙ୍କ ଚିଠିରେ ଲେଖିଛନ୍ତି ଯେ ଦେଶବାସୀ କରୋନା ପାଇଁ ଦୁଃଖ ଓ ଦୁର୍ଦିନରେ କାଳାତିପାତ କରୁଥିବାବେଳେ ସରକାର ତୈଳ ଦର ବୃଦ୍ଧି କରି ଏହାର ଫାଇଦା ନେଉଛନ୍ତି। ସେ ଲେଖିଛନ୍ତି ‘ଗୋଟିଏ ପଟେ ଦେଶରେ ନିଯୁକ୍ତି ହ୍ରାସ ପାଇଚାଲିଥିବାବେଳେ ମଧ୍ୟବିତ୍ତ, ଚାକିରିଆ, କୃଷକମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଓ ତୈଳ ଦର ବୃଦ୍ଧି ଯୋଗୁଁ ଏହି ସଂଘର୍ଷ ଏବେ କଷ୍ଟକର ହୋଇପଡିଛି। ଲୋକଙ୍କ ଏହି ଦୁଃଖ ସମୟରେ ସରକାର ତୈଳ ଉପରେ ଟିକସ ବୃଦ୍ଧି କରି ଲାଭ ଉଠାଇବାରେ ଲାଗିଛନ୍ତି।’ ଦେଶର ଅର୍ଥନୀତିକୁ ପରିଚାଳନା କରିବାରେ ବିଫଳ ସରକାର ତୈଳ ଉପରକୁ ଅହେତୁକ ଟିକସ ଆଦାୟ କରୁଛନ୍ତି। ଅଶୋଧିତ ତୈଳ ଦର ଗତ ୧୮ବର୍ଷ ମଧ୍ୟରେ ସର୍ବକାଳୀନ କମ୍ ରହିଥିବାବେଳେ ସରକାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି। ଦେଶର କେତେକ ଅଞ୍ଚଳରେ ପେଟ୍ରୋଲ ଦର ଲିଟର ପ୍ରତି ୧୦୦ଟଙ୍କା ଛୁଇଁଥିବାବେଳେ ରନ୍ଧନ ଗ୍ୟାସ ଦର ସିଲିଣ୍ଡର ପ୍ରତି ୮୦୦ଟଙ୍କା ହେଲାଣି।