ମନ୍ଦିର ହୁଣ୍ଡିରୁ ଭାଗ ନେବେ ସରକାର

ଝାଡଖଣ୍ଡ ସରକାରଙ୍କୁ ରାଜ୍ୟରେ ଥିବା ମଠ ମନ୍ଦିରର ଆୟରୁ ଭାଗ ଦରକାର। ଏଥିଲାଗି ଏବେ ମନ୍ଦିରମାନଙ୍କୁ ନୋଟିସ୍‌ ଜାରି ହେଉଛି। ରାଜ୍ୟର ମଠ ମନ୍ଦିରକୁ ବେଶ୍ ମୋଟା ରକମର ଦାନ ଆସୁଛି। ହେଲେ ଏହି ଦାନ ସମ୍ପର୍କରେ ସରକାରଙ୍କ ନିକଟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ। ଏଣୁ ସରକାର ଏବେ ମନ୍ଦିର ଆୟରୁ ନିଜର ଭାଗ ନେବେ ବୋଲି ନୋଟିସ୍‌ରେ ସୂଚିତ କରିଛନ୍ତି।

ଝାଡଖଣ୍ଡ ଦେବଘରସ୍ଥିତ ବାବାଧାମକୁ କେବଳ ଶ୍ରାବଣ ମାସରେ ୩୦ରୁ ୪୦ ଲକ୍ଷ ଟଙ୍କା ଦାନ ମିଳିଥାଏ। ଏହା ଛଡା ମନ୍ଦିରର ବାର୍ଷିକ ଆୟ ଅନୁନ୍ୟ ୩ରୁ ୪କୋଟି ଟଙ୍କା। ସେହିପରି ଦୁମକାର ବାସୁକୀନାଥ ମନ୍ଦିର, ଚତରାଜିଲ୍ଲା ଇଟଖୋରୀ ଭଦ୍ରକାଳୀ ମନ୍ଦିରରେ ବି ଭକ୍ତମାନେ ବିପୁଳ ଦାନଦକ୍ଷିଣା ଦେଉଛନ୍ତି। ଏହା ଛଡା ସାରା ରାଜ୍ୟରେ ୬୦୦ରୁ ଅଧିକ ମଠ ଥିବା ବେଳେ ମାତ୍ର ୧ଶହଟି ପଞ୍ଜିକୃତ ହୋଇଛି।

ରାଜ୍ୟରେ ଏପରି ମଠମନ୍ଦିରମାନେ ଟଙ୍କାଟିଏ ବି ହିସାବ ଦେଖାଉନଥିବା ବେଳେ ଆୟକର ରିଟର୍ଣ୍ଣ ମଧ୍ୟ ଫାଇଲ କରୁ ନାହାନ୍ତି। ଏହା ଛଡା ଏହି ସବୁ ମଠମନ୍ଦିରର ଅନେକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟ ଅଛି। ତାର ମଧ୍ୟ ହିସାବ ରାଜ୍ୟ ସରକାରଙ୍କ ନିକଟରେ ନାହିଁ। ମଠମନ୍ଦିରର ଦେଖାରଖା କରୁଥିବା ଲୋକେ ମନଇଛା ଏହି ସବୁ ଧନର ଉପଯୋଗ କରୁଛନ୍ତି।

ରାଜ୍ୟ ସରକାରଙ୍କ ନ୍ୟାସ ପରିଷଦ ମଧ୍ୟ ଠିକରେ କାମ କରୁ ନାହାନ୍ତି। ସମୃଦ୍ଧ ମଠ,ମନ୍ଦିର ଓ ଧର୍ମଶାଳାର ନ୍ୟାସ ପରିଷଦ ନାମକୁ ମାତ୍ର ଚାଲିଛନ୍ତି। ଏହାଙ୍କ ତହବିଲରେ ଦେଢକୋଟିରୁ ବି କମ୍‌ ଅର୍ଥ ଥିବା ଜଣାପଡିଛି। ଏଣୁ ନିଜର ଭାଗ ଓ ମଠମନ୍ଦିରକୁ ନେଇ ରାଜ୍ୟ ସରକାରଙ୍କର ନିଦ ଭାଙ୍ଗିଛି। ସରକାର ରାଜ୍ୟ ଆଇନ ସଚିବ ସଞ୍ଜୟ ପ୍ରସାଦଙ୍କୁ ରାଜ୍ୟ ହିନ୍ଦୁ ଧାର୍ମିକ ନ୍ୟାସ ବୋର୍ଡଙ୍କ ପ୍ରଶାସକ ନିଯୁକ୍ତ କରିଛନ୍ତି।

ଦାୟିତ୍ୱଗ୍ରହଣ କରିବା ପରେ ସଞ୍ଜୟ ପ୍ରସାଦ ରାଜ୍ୟର ମଠ ମନ୍ଦିରଙ୍କ ସୂଚୀ ପ୍ରସ୍ତୁତ କରିଥିବା ଜଣାପଡିଛି। ଏଥିରୁ ୨୨ଟି ମନ୍ଦିରର ପରିଚାଳନା କମିଟିକୁ ପ୍ରଶାସକ ନୋଟିସ ଜାରି କରିଥିବା ବେଳେ ଖୁବ୍ ଶୀଘ୍ର ଅନ୍ୟ ମନ୍ଦିର, ମଠ ଓ ଧର୍ମଶାଳାମାନଙ୍କର ସୂଚୀ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button