ଗୃହିଣୀଙ୍କୁ ଦରମା ଦେବେ ସ୍ଵାମୀ

ନୂଆଦିଲ୍ଲୀ : ସ୍ବାମୀ ବାହାରେ କାର୍ଯ୍ୟ କରୁଥିବା ବେଳେ ଜଣେ ସ୍ତ୍ରୀ ଲୋକ ଘରର ସମସ୍ତ କର୍ଯ୍ୟ କରିବା ସହ ପରିବାର ସଦସ୍ୟଙ୍କ ସମେତ ପିଲାମାନଙ୍କ ଯତ୍ନ ନିଅନ୍ତି। କିନ୍ତୁ ଏଥିପାଇଁ ତାଙ୍କୁ ଦରମା ତ ଦୂରର କଥା ପ୍ରଶଂସା ଟିକିଏ ମିଳିବା କଷ୍ଟ। ବିନା ଦରମାରେ ଘର କାମ କରିଚାଲିଥାନ୍ତି। ଦୁଃଖ ଯନ୍ତ୍ରଣା ମଧ୍ୟରେ ସ୍ତ୍ରୀ ଲୋକଟି ଘର କାର୍ଯ୍ୟ କରିଚାଲିଥିବା ବେଳେ ତାର କାମକୁ ପୁରୁଷମାନେ ଗୌଣ ବୋଲି ମନେ କରନ୍ତି। କିନ୍ତୁ ଚୀନର ଏକ କୋର୍ଟଙ୍କ ରାୟ ବିତର୍କର ବିଷୟ ପାଲଟିଛି।

ଜଣେ ଦମ୍ପତିଙ୍କ ଛାଡ଼ପତ୍ର ମାମଲାରେ ଶୁଣାଣି କରି କୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି। ସାଙ୍ଗରେ ରହିଥିବା ବେଳେ ପତ୍ନୀ ଯେଉଁ କାମ କରିଛନ୍ତି ସେଥିପାଇଁ ତାଙ୍କୁ ପାଉଣା ଦେବାକୁ ସ୍ବାମୀକୁ ନିର୍ଦେଶ ଦେଇଛନ୍ତି କୋର୍ଟ। ୫ ବର୍ଷ ସାଙ୍ଗରେ ରହିଥିବା ବେଳେ ଘର କାମ ସହ ପିଲାମାନଙ୍କ ଯତ୍ନ ନେଇଥିବାରୁ ମହିଳାଙ୍କୁ ୭,୭୦୦ ଡଲାର(ଭାରତୀୟ ମୂଦ୍ରାରେ ୫.୫୬ ଲକ୍ଷ ଟଙ୍କା) ଦରମା ବାବଦ ଦେବାକୁ ସ୍ବାମୀକୁ କୋର୍ଟ କହିଛନ୍ତି। କୋର୍ଟଙ୍କ ରାୟ ଆସିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି। କେହି କେହି ଏହାକୁ କୋର୍ଟଙ୍କ ଐତିହାସିକ ରାୟ ବୋଲି କହିଛନ୍ତି। ଆଉ କେହି କହିଛନ୍ତି ମହିଳାଙ୍କୁ କ୍ଷତିପୂରଣ ବାବଦରେ କମ୍‌ ଟଙ୍କା ମିଳିଛି।

ବିବିସିରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବ୍ୟକ୍ତିଜଣଙ୍କ ଛାଡ଼ପତ୍ର ପାଇଁ  ଆବେଦନ କରିବା ପରେ ତାଙ୍କ ସ୍ତ୍ରୀ କୋର୍ଟରେ କହିଛନ୍ତି ସେ ଏକାକୀ ଘର କାମ କରୁଛନ୍ତି। ଏହା ସହ ସମ୍ପର୍କୀୟ ଏବଂ ପିଲାମାନଙ୍କ ଯତ୍ନ ନେଉଛନ୍ତି। ପରେ କୋର୍ଟ ମହିଳାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। ତେବେ ନିକଟରେ ଚୀନରେ ନୂଆ ସିଭିଲ୍‌ କୋଡ୍‌ ଲାଗୁ କରାଯାଇଛି। ଏହି ନୂଆ ନିୟମ ଆଧାରରେ ଜଣେ ମହିଳା ଛାଡ଼ପତ୍ର ସମୟରେ କ୍ଷତିପୂରଣ ମାଗିପାରିବେ।

ଅନ୍ୟପଟେ ୫ ବର୍ଷ କଠିନ ପରିଶ୍ରମ କରିବା ସହ ଛାଡ଼ପତ୍ର ନେଉଥିବା ଜଣେ ଗୃହିଣୀ ପାଇଁ ୫ ଲକ୍ଷ ଟଙ୍କା ବହୁତ କମ୍‌ ବୋଲି ଅନେକ କହିଛନ୍ତି। ଗୋଟିଏ ବର୍ଷ ପାଇଁ ଜଣେ କାମବାଲୀ ରଖିଲେ ଯେତିକି ଟଙ୍କା ଦରମା ପାଇବ ସେତିକି ଟଙ୍କା ହିଁ ମହିଳାଙ୍କୁ ମିଳିଛି ବୋଲି ସୋସିଆଲ ମିଡିଆ ୟୁଜର କହିଛନ୍ତି। ପୂର୍ବରୁ ଚୀନ​‌ରେ ପାରମ୍ପରିକ ଛାଡ଼ପତ୍ର ନେଉଥିବା ମହିଳାଙ୍କୁ କ୍ଷତିପୂରଣ ମିଳୁନଥିଲା।

Leave a Reply

Your email address will not be published. Required fields are marked *

Back to top button