ଯାହାର ପ୍ରସଙ୍ଗ ହିଁ ଭୁଲ, ତାର ଉଦ୍ଦେଶ୍ୟ ଆଲୋଚନା କାହିଁକି ହେବ : ରାହୁଲ

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସଂସଦକୁ ସମ୍ବୋଧିତ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ କୃଷି ଆଇନ ଚାଷୀଙ୍କ ବିକାଶ ଲାଗି ଓ ସରକାର ପ୍ରଚଳିତ ନୀତି ନିୟମକୁ ପରିବର୍ତ୍ତନ ନ କରି ଚାଷୀ ଓ ଚାଷର ଉନ୍ନତି ଲାଗି ଆଇନ ପ୍ରଣୟନ କରିଥିବା ଗୃହକୁ କହିଥିଲେ। ତେବେ ବିରୋଧିଦଳମାନେ ଆଇନ ନେଇ ଲୋକଙ୍କୁ ଭ୍ରମିତ କରୁଥିବାର ସେ ଗୁରୁତର ଅଭିଯୋଗ ଆଣିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ପ୍ରସଙ୍ଗରେ ସମସ୍ତେ କୃଷି ଆଇନ ପ୍ରତ୍ୟାହାର ଦାବି କରୁଛନ୍ତି, ହେଲେ ଏପର୍ଯ୍ୟନ୍ତ କେହି ଏହାର କଣ୍ଟେଣ୍ଟ କି ଇଣ୍ଟେଣ୍ଟର ଆଲୋଚନା କଲେଣି କି ବୋଲି ଗୃହକୁ ପଚାରିଥିଲେ। ଗୁରୁବାର ଲୋକସଭାରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖି ଯାହାର କଣ୍ଟେଣ୍ଟ ହିଁ ଭୁଲ ତାର ଇଣ୍ଟେଣ୍ଟ ଆଲୋଚନାର ଆବଶ୍ୟକତା କ’ଣ ବୋଲି ପଚାରିଛନ୍ତି।

ୱାଇନାଡ ସାଂସଦ ତଥା ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧି ସରକାରଙ୍କ ସଂଶୋଧିତ କୃଷି ଆଇନ ସମ୍ପୂର୍ଣ୍ଣ କୃଷି ଓ କୃଷକ ବିରୋଧୀ ଏହା ଆଇନଗୁଡିକର କଣ୍ଟେଣ୍ଟରେ ହିଁ ସରକାର ସ୍ପଷ୍ଟ କରିଦେଇଛନ୍ତି ବୋଲି କହିଛନ୍ତି।  ଏଣୁ ଆଇନ ଭିତରକୁ ଯିବାର ଆଉ ଆବଶ୍ୟକତା ଥିଲା କି ବୋଲି ସେ ପଚାରିଛନ୍ତି। 

ସେ କହିଛନ୍ତି ଯେ ପ୍ରଥମ ଆଇନର କଣ୍ଟେଣ୍ଟରେ ମଣ୍ଡି ସମାପ୍ତ କରାଯାଇଛି। ଫଳରେ ଚାଷୀ ତାଙ୍କ ଉତ୍ପାଦ ବିକ୍ରି ଲାଗି ବର୍ଷବର୍ଷରୁ ଭରସା କରିଆସୁଥିବା ମଣ୍ଡି ହରାଇବା ଆଇନ ନିଶ୍ଟିତ କରୁଛି।  ସେହପରି ଦ୍ୱିତୀୟ ଆଇନର କଣ୍ଟେଣ୍ଟରେ ଉଦ୍ୟୋଗପତିଙ୍କୁ ତାଙ୍କ ଇଚ୍ଛାମୁତାବକ ଫସଲ, ଫଳ ଓ ପନିପରିବା ମହଜୁଦ ଲାଗି ବ୍ୟବସ୍ଥା କରିଦେଇଛନ୍ତି। ଫଳରେ ଦେଶରେ ଜମାଖୋରୀ ଓ କଳାବଜାରକୁ ଆଇନ ସିଧା ଶଳଖ ପ୍ରୋତ୍ସାହିତ କରୁଥିବା ସେ କହିଛନ୍ତି।

ସେପଟେ ଦିଲ୍ଲୀ ସୀମାକୁ ଘେରି ଦୀର୍ଘ ୩ ମାସ ହେଲା ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀ ଆଗକୁ ଜୋରଦାର ଆନ୍ଦୋଳନ ଲାଗି ଯୋଜନା ପ୍ରସ୍ତୁତ କରିଥିବା ଜଣାପଡିଛି। ଚାଷୀମାନେ ଫେବୃଆରୀ ୧୨ ତାରିଖରୁ ରାଜସ୍ଥାନର ସମସ୍ତ ଟୋଲ ପ୍ଲାଜାକୁ ଚାଷୀ ଶୁଳ୍କ ମୁକ୍ତ କରାଇବା ଲାଗି ଘୋଷଣା କରିଥିବା ବେଳେ ୧୮ ତାରିଖ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ସାରା ଦେଶରେ ରେଳ ରୋକ ଆହ୍ୱାନଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button