ଚିକିତ୍ସା ଫି’ ମାଗିବାରୁ ଆଙ୍ଗୁଠିକୁ କାମୁଡି ଅଲଗା କରିଦେଲା ରୋଗୀ

ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶର ଛିନ୍ଦଓ୍ବାଡାରେ ଏକ ଅଜବ ଘଟଣା ଘଟିଛି । ଯାହାକୁ ଶୁଣିବା ପରେ ସମସ୍ତେ ଚକିତ ହୋଇଯାଉଛନ୍ତି । ଡାକ୍ତର ଜଣେ ରୋଗୀକୁ ଚିକିତ୍ସା କରିସାରିବା ପରେ ଯେତେବେଳେ ତାଙ୍କର ଫିସ୍‌ ମାଗିଥିଲେ, ରୋଗୀଜଣକ ରାଗରେ ଡାକ୍ତରଙ୍କ ଆଙ୍ଗୁଠିକୁ ଦାନ୍ତରେ କାମୁଡି ଅଲଗା କରିଦେଇଥିଲେ । ଏହା ପରେ ଡାକ୍ତରଙ୍କୁ ତୁରନ୍ତ ଉପଯୁକ୍ତ ଚିକିତ୍ସା କରାଯାଇଥିଲା । ଡାକ୍ତର ଏ ବାବଦରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ସମେତ ଦୁଇ ଜଣକୁ ଗିରଫ କରିଛି । ଏହି ପୂରା ମାମଲା କ୍ଲିନିକ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା ।

ଏହି ଘଟଣା ଛିନ୍ଦଓ୍ବାଡାର କୁଣ୍ଡୀପୁରା ଥାନା ଅଞ୍ଚଳରେ ଘଟିଛି । ଡାକ୍ତର ଏସ୍‌. କେ. ବିନ୍ଧ୍ରାଙ୍କର ଶନିଚରା ବଜାରରେ ଏକ କ୍ଲିନିକ୍‌ ରହିଛି । ତେବେ ଶନିବାର ଜଣେ ବ୍ୟକ୍ତିଙ୍କର ହାତ କୌଣସି କାରଣରୁ ପୋଡିଯାଇଥିବାରୁ ଚିକିତ୍ସା ପାଇଁ ସେ କ୍ଲିନିକ୍‌କୁ ଆସିଥିଲେ । ରୋଗୀଙ୍କ ସହିତ ଆଉ ୨ ଜଣ ମଧ୍ୟ ଥିଲେ । ଅନ୍ୟ ରୋଗୀମାନଙ୍କ ଭଳି ଡାକ୍ତର ଉକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରିଥିଲେ । ଏହା ପରେ ଡାକ୍ତର ଯେତେବେଳେ ଉକ୍ତ ବ୍ୟକ୍ତିକୁ ଫିସ୍‌ ମାଗିଥିଲେ ତ ସେ ଟଙ୍କା ଦେବାକୁ ମନା କରିଥିଲା ଏବଂ କ୍ଲିନିକ୍‌ରେ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲା । ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ରୋଗୀ ସହିତ ଆସିଥିବା ବିଜୟ ତିଓ୍ବାରୀ ନାମକ ଜଣେ ବ୍ୟକ୍ତି ଡାକ୍ତରଙ୍କ ଆଙ୍ଗୁଠିକୁ ଦାନ୍ତରେ କାମୁଡି ଅଲଗା କରିଦେଇଥିଲା ।

Leave a Reply

Your email address will not be published. Required fields are marked *

Back to top button