ପ୍ରତ୍ୟାହୃତ ହେଲା ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ

ଭୁବନେଶ୍ଵର : ବିଭିନ୍ନ ବର୍ଗରୁ ବିରୋଧ ପରେ ଶେଷରେ ଆଜି ପ୍ରତ୍ୟାହୃତ ହୋଇଛି ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ। ଏହାକୁ ପ୍ରତ୍ୟାହାର କରି ନିଆଯାଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ। ସେ କହିଛନ୍ତି, ଜାତୀୟ ସ୍ମାରକ ପ୍ରାଧିକରଣ (ଏନ୍ଏମ୍ଏ) ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ କରାଯାଇଥିଲା।
ଏହି ବାଇ-ଲକୁ ସ୍ଥଗିତ ରଖିବା ଦାବିରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସମସ୍ତ ବିଜେପି ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟିଥିଲେ ଏବଂ ସ୍ମାରକପତ୍ର ପ୍ରଦାନ କରିଥିଲେ। ଲୋକଙ୍କ ଧାର୍ମିକ ଭାବନାକୁ ଗୁରୁତ୍ୱ ଦେଇ ବାଇ-ଲକୁ ଏବେ ସ୍ଥଗିତ ରଖିବାକୁ ସେମାନେ ଦାବି କରିଥିଲେ। ସେହିପରି ଏହି ପ୍ରସଙ୍ଗରେ ଆଜି ବିଜେଡି ସାଂସଦ ମାନେ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁରୀ ଯାଇଥିବା ଅବସରରେ ଏହି ପ୍ରସ୍ତାବିତ ବାଇ-ଲକୁ ବିରୋଧ କରି କେହି ପ୍ରଭୁଙ୍କ କାର୍ଯ୍ୟରେ ବାଧା ଦେଇ ପାରିବେ ନାହିଁ ବୋଲି କହିଥିଲେ।