ମାଙ୍କଡ ହାତରେ ଶାଳଗ୍ରାମ : ୟୁଟ୍ୟୁବ୍ ଭିଡିଓ ଦେଖି ଇଞ୍ଜେକ୍ସନ ଫୋଡିଲେ ଶିକ୍ଷକ

ନୂଆଦିଲ୍ଲୀ : ଦିଲ୍ଲୀରେ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଟ୍ୟୁସନ ଶିକ୍ଷକ ନିଜ ଛାତ୍ରମାନଙ୍କୁ ‘ମସ୍ତିଷ୍କ ବିକାଶ’ କରୁଥିବା ଇଞ୍ଜେକ୍ସନ ଫୋଡ଼ି ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ ପରେ ଜଣାପଡ଼ିଛି ଯେ ଶିକ୍ଷକ ଜଣକ ସାଧାରଣ ସାଲାଇନ୍ ଇଞ୍ଜେକ୍ସନ ବ୍ୟବହାର କରିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା, ସେ ୟୁଟ୍ୟୁବ୍ରେ ଭିଡିଓ ଦେଖିବା ପରେ ଏଭଳି ଉପାୟ ଆପଣାଇଥିଲେ।
ସୂଚନା ମୁତାବକ, ଟ୍ୟୁସନ ଶିକ୍ଷକ ଛାତ୍ରମାନଙ୍କ ପିଚା ମାଂସପେଶୀରେ ଏହି ଇଞ୍ଜେକ୍ସନ ଫୋଡ଼ି ଦେଇଛନ୍ତି। ଘଟଣା ସେତେବେଳେ ଲୋକଲୋଚନକୁ ଆସିଥିଲା, ଯେତେବେଳେ ଜଣେ ଛାତ୍ର ଇଞ୍ଜେକ୍ସନ ଲଗାଇବାକୁ ମନା କରିଥିଲେ ଏବଂ ଏ ବିଷୟରେ ଘର ଲୋକଙ୍କୁ ଜଣାଇଥିଲେ। ଛାତ୍ରଙ୍କଠାରୁ ସମସ୍ତ କଥା ଶୁଣିବା ପରେ ତାଙ୍କ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ଅଭିଯୋଗକାରୀ ଛାତ୍ର ଦିଲ୍ଲୀ ୟୁନିଭର୍ସିଟିର ବୋଲି ଜଣାପଡ଼ିଛି। ସେହିପରି ନବମ ଶ୍ରେଣୀରେ ପଢ଼ୁଥିବା ଅନ୍ୟ ଜଣେ ଅଭିଯୋଗକାରୀ ଛାତ୍ର କହିଛନ୍ତି, ମସ୍ତିଷ୍କ ବିକାଶ କରୁଥିବା ଇଞ୍ଜେକ୍ସନ ଶିକ୍ଷକଙ୍କ ପାଖରେ ଅଛି। ଏହାଦ୍ୱାରା ଉଚ୍ଚତା ବି ବଢ଼ୁଛି।
ସେପଟେ ପୋଲିସ ଟ୍ୟୁସନ ଶିକ୍ଷକଙ୍କଠାରୁ କେତେକ ଇଞ୍ଜେକ୍ସନ ଜବତ କରି ଯାଞ୍ଚ ପାଇଁ ଲ୍ୟାବ୍ ପଠାଇଛି। ପଚରାଉଚରା ପରେ ଜଣାପଡ଼ିଛି କି, ଶିକ୍ଷକ ୫ ଜଣ ଛାତ୍ରଙ୍କୁ ଏଭଳି ଇଞ୍ଜେକ୍ସନ ଲଗାଇଛନ୍ତି। ପୋଲିସ ଅନ୍ୟ ମାଧ୍ୟମରେ ମଧ୍ୟ ଯାଞ୍ଚ ଜାରି ରଖିଛି।