ନାବାଳିକାଙ୍କୁ ଗର୍ଭପାତ ମେଡିସିନ୍ ଦେଇ ଟ୍ୟୁସନ୍ ମାଷ୍ଟର ଫେରାର

ନୂଆଦିଲ୍ଲୀ : ବିହାର ସହରସା ଜିଲ୍ଲାର ଏକ ଶିକ୍ଷକ ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ପ୍ରାୟ ବର୍ଷେ ହେଲା ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ହୋଇଛି । ନାବାଳିକା ଛାତ୍ରୀଜଣକ ୪ ମାସର ଗର୍ଭବତୀ ମଧ୍ୟ ହୋଇଥିଲେ । ମାମଲାର ଖୁଲାସା ହେବା ପରେ ଗାଁରେ ପଞ୍ଚାୟତ ବସିଥିଲା ଏବଂ ଅଭିଯୁକ୍ତ ଶିକ୍ଷକ ପୀଡିତାଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ ।

କିନ୍ତୁ ଏହା ପରେ ଅଭିଯୁକ୍ତ ଶିକ୍ଷକ ଜଣକ ଯାହା କରିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେଇଛି । ଗାଁରେ ପଞ୍ଚାୟତ ବସିବାର ୪ ଦିନ ପରେ ଅଭିଯୁକ୍ତ ଶିକ୍ଷକ ସୁବଲେଶ କୁମାର ଯାଦବ ନାବାଳିକା ଛାତ୍ରୀଙ୍କୁ ଉତ୍ତେଜକ ମେଡିସିନ୍‌ ଦେବାକୁ କହି ଗର୍ଭପାତ ମେଡିସିନ୍‌ ଖାଇବାକୁ ଦେଇ ଦେଇଥିଲା । ଯାହାଫଳରେ ଛାତ୍ରୀଜଣକ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

 ଏହି ଘଟଣା ସହରସା ଜିଲ୍ଲା ସୋର ବଜାର ଥାନା ଅନ୍ତର୍ଗତ ସମଦା-ବଖରୀ ଗାଁର । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ମହିଳା ଥାନା ଅଧ୍ୟକ୍ଷା ପ୍ରେମଲତା ଭୁପା କହିଛନ୍ତି, ପୀଡିତା ନାବାଳିକାଜଣକ ଟ୍ୟୁସନ୍‌ ପଢିବା ପାଇଁ ସଂପୃକ୍ତ ଶିକ୍ଷକଙ୍କ ପାଖକୁ ଯାଉଥିଲେ । ସେଠାରେ ଅଭିଯୁକ୍ତଜଣକ ନାବାଳିକା ଛାତ୍ରୀଙ୍କୁ ଡରାଇ ଧମକାଇ ବାରମ୍ବାର ଦୁଷ୍କର୍ମ କରିଥିଲା । ଦିନେ କି ଦୁଇ ଦିନ ନୁହେଁ ଗତ ବର୍ଷେ ହେଲାଣି ଏହି ଘଟଣା ଚାଲିଥିଲା । ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତ ଶିକ୍ଷକଜଣକ ଏବେ ଫେରାର ଅଛି । ମାମଲାକୁ ପୋଲିସ ଗୁରୁତର ଭାବେ ନେବା ସହିତ ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *

Back to top button