ତିବ୍ବତ ସୀମାରେ ଚୀନ ନିର୍ମାଣ କରୁଛି ରାସ୍ତା

କିନ୍ନୋର : ଗଲୱାନ ଘାଟି ସଂଘର୍ଷ ପରଠାରୁ ସାମରେ ଉତ୍ତେଜନା ରହିଛି। ଭାରତ-ଚୀନ କମଣ୍ଡୋ ସ୍ତରୀୟ ଆଲୋଚନାରେ ହେଉଥିବା ନିଷ୍ପତ୍ତିକୁ ଚୀନ ମାନୁନାହିଁ। ସୀମାରେ ଏବେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି ଡ୍ରାଗନ ସେନା। କେବଳ ସେତିକି ନୁହେଁ ହିମାଚଳ ପ୍ରଦେଶ କିନ୍ନୋର ଜିଲ୍ଲା ସୀମା ନିକଟସ୍ଥ ତିବ୍ବତରେ ଚୀନ ନିର୍ମାଣ କରୁଛି ସଡକ।

ରିପୋର୍ଟ ଅନୁଯାୟୀ ଚୀନ କିନ୍ନୋର ଜିଲ୍ଲାର ମୋରଙ୍ଗ ଘାଟି ଅନ୍ତର୍ଗତ କୁନୁ ଚାଙ୍ଗଠାରୁ ଖେମକୁଲ୍ଲା ନିକଟରେ ଯୁଦ୍ଧକାଳୀନ ଭିତ୍ତିରେ ସଡକ ନିର୍ମାଣ କାମ ଜାରି ରଖିଛି। ଦୁଇ କିମି ନୋ ମେନ୍ସ ଲ୍ୟାଣ୍ଡ ଅଞ୍ଚଳରେ ଚୀନ ସଡକ ନିର୍ମାଣ କରିଥିବା ଅନୁମାନ କରାଯାଉଛି। ନିକଟରେ ୯ ସଂସଦୀୟ ଦଳ ୧୬ ଘୋଡା, ୫ ପୋର୍ଟର ଓ ଅର୍ଦ୍ଧସୈନିକ ବଳର କିଛି ଯବାନଙ୍କ ସହିତ ଚରଙ୍ଗ ଗାଁ ପାଖାପାଖି ୨୨ କିମି ଉପର ସୀମା ଆଡକୁ ଯାଇଥିଲେ। ସେମାନେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଯେ ଦୁଇ ମାସରେ ଚୀନ ଭାରତ-ତିବ୍ବତ ସୀମା ଆଡକୁ ୨୦ କିମି ସଡକ ନିର୍ମାଣ କରିଛି। ଗତବର୍ଷ ଅକ୍ଟୋବର ମାସରେ ତିବ୍ବତରେ ଭାରତ ତରଫରୁ ଶେଷ ଗାଁ ତଙ୍ଗୋ ଯାଏଁ ସଡକ ଥିଲା। କିନ୍ତୁ ଏଥର ବରଫ ସଫା ହେଉ ହେଉ ତିବ୍ବତ ତଙ୍ଗୋ ଗାଁରୁ ଭାରତ ସୀମା ଆଡକୁ ସଡକ ନିର୍ମାଣ କରାଯାଇଛି। ସାଙ୍ଗଲା ଘାଟି ଛିତାକୁଲ ପଛପଟେ ତିବ୍ବତ ୟମରଙ୍ଗ ଲା ଆଡକୁ ମଧ୍ୟ ସଡକ ନିର୍ମାଣ କରାଯାଉଛି। ରାତିରେ ଚାଲୁଛି ନିର୍ମାଣ କାର୍ଯ୍ୟ। ଡ୍ରୋନ୍ କ୍ୟାମେରାରେ ବିସ୍ଫୋରଣ ଶବ୍ଦ ରେକର୍ଡ ହୋଇଥିବାରୁ ଅନୁମାନ କରାଯାଉଛି ସଡକ ନିର୍ମାଣ ପାଇଁ ବିସ୍ଫୋରଣ ବ୍ୟବହାର କରାଯାଉଛି।

ମତାମତ ଦିଅନ୍ତୁ ।