ଟିକା ଓ ଅକ୍ସିଜେନ ଉପରୁ ସୀମା ଶୁଳ୍କ ହଟିଲା

0

ନୂଆଦିଲ୍ଲୀ : କୌଣସି ମେଡିକାଲ ସାମଗ୍ରୀ ଉପରେ ସୀମା ଶୁଳ୍କ ଲାଗୁ ହେବନାହିଁ। ୩ ମାସ ଯାଏ ଏହା ବଳବତ୍ତର ରହିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଯାହାଫଳରେ ଅକ୍ସିଜେନ, କରୋନା ଟିକା, ସମସ୍ତ ପ୍ରକାରର ଭେଣ୍ଟିଲେଟର ଓ ଅକ୍ସିଜେନ ଉତ୍ପାଦନ କରିପାରୁଥିବା ସମସ୍ତ ସାମଗ୍ରୀ ଅନାୟସରେ ଭାରତକୁ ଆସିପାରିବ।

ଦେଶର ବିଭିନ୍ନ ପ୍ରାନ୍ତରେ ଦେଖାଯାଇଥିବା ଅକ୍ସିଜେନ ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ଜରୁରୀ ମେଡିକାଲ ସାମଗ୍ରୀ ଉପରେ ସୀମା ଶୁଳ୍କ ଲାଗୁ ନ କରିବାକୁ ନିଷ୍ପତ୍ତି ହୋଇଛି। ସରକାରଙ୍କ ପକ୍ଷରୁ ବିବୃତ୍ତିରେ କୁହାଯାଇଛି ହସ୍ପିଟାଲ ଓ ଘରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ତୁରନ୍ତ ଅକ୍ସିଜେନ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ରୋଗୀମାନେ କେମିତି ସହଜରେ ଆବଶ୍ୟକ ଅନୁଯାୟୀ ଟିକା, ଅମ୍ଳଜାନ ଓ ଅନ୍ୟାନ୍ୟ ଜୁରରୀ ମେଡିକାଲ ଉପକରଣ ପାଇପାରିବେ ତା’ର ବ୍ୟବସ୍ଥା କରିବାକୁ ସେ କହିଥିଲେ।

ଅକ୍ସିଜେନ ଓ ମେଡିକାଲ ସାମଗ୍ରୀର ଉତ୍ପାଦନ ବୃଦ୍ଧି କରିବାକୁ ସମସ୍ତ ମନ୍ତ୍ରଣାଳୟ ଓ ବିଭାଗ ଏକାଠି କାମ କରିବେକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ଅକ୍ସିଜେନ ଓ ଅନ୍ୟାନ୍ୟ ସାମଗ୍ରୀର ଚାହିଦା ବଢ଼ୁଥିବାରୁ ସୀମା ଶୁଳ୍କକୁ ପ୍ରତ୍ୟାହାର କରାଯାଇଥିବା ବେଳେ ଜରୁରୀ ସାମଗ୍ରୀଗୁଡ଼ିକର କଷ୍ଟମ କ୍ଲିୟରାନ୍ସ ତୁରନ୍ତ କରିବାକୁ ପ୍ରଧାନମନ୍ତ୍ରୀ ରାଜସ୍ୱ ବିଭାଗକୁ କହିଥିବା ବିବୃତ୍ତିରେ ଦର୍ଶଯାଇଛି। ଅନ୍ୟପକ୍ଷରେ ଦେଶର ଅକ୍ସିଜେନ ଚାହିଦା ପୂରଣ ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ଜର୍ମାନୀରୁ ୨୩ଟି ମୋବାଇଲ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ଆଣିବ ବୋଲି କହିଛି।

Leave A Reply

Your email address will not be published.