ତିର୍ତ୍ତୋଲ ପାଇଁ ଭର୍ଚୁଆଲ ପ୍ରଚାର: ମୁଖ୍ୟମନ୍ତ୍ରୀ କହିଲେ ମୁଁ ସବୁବେଳେ ଆପଣଙ୍କ ସହ ରହିଛି

ଭୁବନେଶ୍ଵର : ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ପ୍ରଚାର କରିଛନ୍ତି। ଏହି ଅବସରରେ ତିର୍ତ୍ତୋଲ ବାସୀଙ୍କୁ କରୋନା ଗାଇଡଲାଇନ ମାନିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ସବୁବେଳେ ଆପଣଙ୍କ ସହ ରହିଛି।

ସେ କହିଲେ ତିର୍ତ୍ତୋଲବାସୀ ସବୁବେଳେ ବିଜୁ ପରିବାର ସହ ରହିଛନ୍ତି। ତିର୍ତ୍ତୋଲର ବିକାଶ ପାଇଁ ସର୍ବଦା ବିଜୁ ଜନତା ଦଳ ପ୍ରୟାସ କରିଛି। ସେଠାରେ ଅନେକ ବିକାଶ ମୂଳକ ପଦକ୍ଷେପ ନିଆଯାଇଛି। ଆଗକୁ ମଧ୍ୟ ନିଆଯିବ। କରୋନା କଟକଣା ପାଇଁ ମୁଁ ତିର୍ତ୍ତୋଲ ଯାଇପାରିଲିନି। କିନ୍ତୁ କରୋନା କଟକଣା ପରେ ନିଶ୍ଚୟ ତିର୍ତ୍ତୋଲ ଯିବି। ଆପଣମାନଙ୍କୁ ଭେଟିବା ସହ ଆପଣଙ୍କ ଅଞ୍ଚଳର ବିକାଶ କାର୍ଯ୍ୟକୁ କିପରି ଆଗକୁ ବଢାଯିବ ତାହା ଦେଖିବି ବୋଲି ନବୀନ କହିଛନ୍ତି।

ନବୀନ କହିଛନ୍ତି ନିକଟରେ ତିର୍ତ୍ତୋଲ ଅଞ୍ଚଳରେ ଯୋଗାଯୋଗ ପାଇଁ ମହାନଦୀ ଉପରେ ୨ଟି ବ୍ରିଜର କାମ ଆରମ୍ଭ ହୋଇଛି। ଏହି ଅଂଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଆମ ସରକାର କାମ କରିଛନ୍ତି। ପୂର୍ବ ନିର୍ବାଚନରେ ଆପଣମାନେ ବିଷ୍ଣୁ ଦାସଙ୍କୁ ବହୁ ଭୋଟ୍ ଦେଇ ବିଜୟ କରିଥିଲେ। ବିଷ୍ଣୁ ବାବୁ ସର୍ବଦା ତିର୍ତ୍ତୋଲର ବିକାଶ ପାଇଁ ମୋ ସହ କଥା ହେଉଥିଲେ। କିନ୍ତୁ ଦୁଃଖର ବିଷୟ ସେ ଏବେ ଆମ ଗହଣରେ ନାହାଁନ୍ତି।

ମୁଖ୍ୟମନ୍ତ୍ରୀ କହିଲେ ତିର୍ତ୍ତୋଲ ଅଞ୍ଚଳରେ ମିଶନ ଶକ୍ତିର ମା’ମାନେ ବହୁତ ଭଲ କାମ କରିଛନ୍ତି। ମୁଁ ଆପଣମାନଙ୍କ ସହିତ ଅଛି। ବିକାଶକୁ ଆଗେଇ ନେବାଲାଗି ପୁଣିଥରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ଭୋଟ ଦେବାପାଇଁ ସେ ଲୋକମାନଙ୍କୁ ଅନୁରୋଧ କରିଥିଲେ। ଏହାଛଡା ଭୋଟଦାନ କେନ୍ଦ୍ରକୁ ଯିବା ସମୟରେ ନିଜ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ସେ ତିର୍ତ୍ତୋଲମାସୀଙ୍କୁ କହିଛନ୍ତିl

ମତାମତ ଦିଅନ୍ତୁ ।