ତିର୍ତ୍ତୋଲ ଉପନିର୍ବାଚନ : ବିଜେଡ଼ିରୁ ବିଜୟଙ୍କ ସମ୍ଭାବନା ଅଧିକ

ଜଗତସିଂହପୁର : ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଛି। ନଭେମ୍ବର ୩ରେ ଭୋଟ ଗ୍ରହଣ। କିନ୍ତୁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରି ନାହାନ୍ତି। କେଉଁ ଦଳ କାହାକୁ ପ୍ରାର୍ଥୀ କରିବେ ତାହାକୁ ନେଇ ଲାଗିରହିଛି ସସପେନ୍ସ।

ତିର୍ତ୍ତୋଲ ଉପ-ନିର୍ବାଚନକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। କୁହାଯାଉଛି କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଚୟନ ପ୍ରକ୍ରିୟା ଏକ ପ୍ରକାର ଶେଷ ଚୁଡାନ୍ତ ହୋଇସାରିଛି। କେବଳ ଘୋଷଣା ବାକିଥିବା ବେଳେ ଶାସକ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଦଳରେ ଚାଲିଛି ମାନସ ମନ୍ଥନ। ଅନେକଙ୍କ ମତ ସ୍ୱର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବ। ତେବେ ତିର୍ତ୍ତୋଲ ରାଜନୈତିକ ମହଲରେ ବିଜୟ ଶଙ୍କରଙ୍କୁ ନେଇ ଆଲୋଚନା ଚାଲିଛି। ଏବେଠାରୁ ବିଷ୍ଣୁ ଦାସଙ୍କ ସମର୍ଥକମାନେ ପୁଅ ବିଜୟ ଶଙ୍କରଙ୍କ ପୋଷ୍ଟର ଲଗାଇ ପ୍ରଚାର ଆରମ୍ଭ କରିଦେଇଥିବା ଦେଖାଯାଇଛି। କାରଣ ବିଷ୍ଣୁ ଦାସ ଯେଉଁଭଳି ତୃଣମୂଳସ୍ତରର ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କ ସହିତ ସୁସମ୍ପର୍କ ରଖିଆସିଥିଲେ ସେଥିପାଇଁ ତାଙ୍କ ପୁଅଙ୍କ ସପକ୍ଷରେ ଜନମତ ପ୍ରକାଶ ପାଉଛି। ସେମାନେ ଆଶା ରଖିଛନ୍ତି ବିଜୟ ବିଷ୍ଣୁଙ୍କ ପରି କାର୍ଯ୍ୟ କରିବେ। ସେମାନଙ୍କ ମତରେ ଅଶିଦଶକରୁ ବିଷ୍ଣୁ ଦାସ ଜଗତସିଂହପୁର ରାଜନୀତିରେ ସକ୍ରିୟ ଥିଲେ। ୧୯୯୦ ମସିହାରୁ ଲଗାତର ଜଗତସିଂପୁର ବିଧାନସଭା ଆସନରୁ ବିଜୟୀ ହୋଇଆସୁଥିଲେ। ପରେ ରାଜ୍ୟସଭା ସାଂସଦ ଓ ୨୦୧୯ରେ ତିର୍ତ୍ତୋଲ ବିଧାନସଭା ଆସନରୁ ନିର୍ବାଚନ ଜିତିଥିଲେ। ରାଜନୀତି ଜୀବନରେ ସେ ସର୍ବଦା ସେବା ମନୋଭାବ ନେଇ ଲୋକଙ୍କ କାମ କରିଆସିଥିବାରୁ ପୁଅ ବିଜୟ ଶଙ୍କର ସେହି ଧାରା ବଜାୟ ରଖିବେ ବୋଲି ଅନେକଙ୍କ ମତ। ସେଥିପାଇଁ ତାଙ୍କୁ ନିର୍ବାଚିତ କଲେ ବିଷ୍ଣୁଦାସଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଅଂଚଳବାସୀ କହୁଛନ୍ତି। ଅବଶ୍ୟ ଆଉ କେତେଜଣଙ୍କ ନାଁ ଶୁଣିବାକୁ ମିଳୁଛି। ହେଲେ ଲୋକଙ୍କ ମତ ବିଜୟଙ୍କୁ ଦଳୀୟ ମିଳିଲେ ବିଷ୍ଣୁ ଦାସଙ୍କ ପୁଅ ହିସାବରେ ଅନୁକମ୍ପା ଭୋଟ ମିଳିବ। ତେବେ ଦଳର ସୁପ୍ରିମୋ କେଉଁ ନିଷ୍ପତ୍ତି ନେଉଛନ୍ତି ତାହାକୁ ତିର୍ତ୍ତୋଲବାସୀ ଅପେକ୍ଷା କରିଛନ୍ତି।

ଅପରପକ୍ଷରେ ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ପାର୍ଥୀ ଏଠାରେ ତୃତୀୟ ସ୍ଥାନରେ ଥିବାରୁ ଉପ-ନିର୍ବାଚନରେ ଲୋକେ ଏହି ଦଳକୁ ସେତେଟା ଗୁରୁତ୍ଵ ଦେଉନାହାନ୍ତି। ତଥାପି ଦଳ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ପ୍ରାର୍ଥୀ କରି ଟକ୍କର ଦେବାକୁ ଚେଷ୍ଠା କରିବ ବୋଲି ଦଳର ଜଣେ ତୁଙ୍ଗ ନେତା କହିଛନ୍ତି। ତାଙ୍କ କହିବାନୁସାରେ ତିର୍ତ୍ତୋଲ ଅତୀତରେ ଚିରଞ୍ଜିବ ଓ ରଞ୍ଜିବ ବିଶ୍ୱାଳଙ୍କ ନିର୍ବାଚନ ମଣ୍ଡଳୀ ଥିଲା। ତେଣୁ କଂଗ୍ରେସ ପ୍ରତିପକ୍ଷ ଦଳ ସହିତ କଡା ମୁକାବିଲା କରି ସଫଳ ହେବାର ସମ୍ଭାବନା ରହିଛି।

ସେହିପରି ଗତ ନିର୍ବାଚନରେ ବିଜେପିର ସ୍ଥାନ ଏଠାରେ ଥିଲା ଦ୍ୱିତୀୟ। ଏଥର ଉପ ନିର୍ବାଚନରେ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି। କେନ୍ଦ୍ରରେ ସରକାର ଥିବାରୁ ବିଜେପି ଲୋକଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଠା କରିବ। ଏହାଛଡା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢଙ୍ଗୀ ଓ ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଭାବମୂର୍ତ୍ତିକୁ ପାଥେୟ କରି ଦଳ ନିର୍ବାଚନ ଜିତିବାକୁ ପ୍ରୟାସ କରିବ। ତେବେ ସେ ଯାହା ହେଉନା କାହିଁକି ତିର୍ତ୍ତୋଲ ଉପ-ନିର୍ବାଚନରେ ତିନୋଟି ଦଳର ପ୍ରାର୍ଥୀଙ୍କ ମଧ୍ୟରେ କଡା ମୁକାବିଲା ହେବା ଏକ ପ୍ରକାର ନିଶ୍ଚିତ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।

ମତାମତ ଦିଅନ୍ତୁ ।