ଟିଟିପିଏସ ବନ୍ଦର ପ୍ରତିବାଦ : ତାଳଚେର କ୍ରିୟାନୁଷ୍ଠାନ କମିଟିର ଅର୍ଥନୈତିକ ଅବରୋଧ

ଅନୁଗୁଳ : ତାଳଚେର ଥର୍ମାଲ ପାୱାର ଷ୍ଟେସନ (ଟିଟିପିଏସ) ବନ୍ଦର ପ୍ରତିବାଦ। ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାଂସଦ ମହେଶ ସାହୁଙ୍କ ନେତୃତ୍ଵରେ କରାଯାଇଛି ଅର୍ଥନୈତିକ ଅବରୋଧ। କମିଟିର ସଦସ୍ୟମାନେ ଆଜି ସକାଳୁ କଣିହାଁ ଏନଟିପିସି ମୁଖ୍ୟଦ୍ୱାର ସମ୍ମୁଖରେ ବସିବାରୁ ଶ୍ରମିକମାନଙ୍କ ଯାତାୟାତରେ ଅସୁବିଧା ହୋଇଛି।
ସେହିପରି କଣିହାଁ କୋଇଲା ଖଣି ସମ୍ମୁଖରେ କମିଟିର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବାରୁ କୋଇଲା ଉତ୍ତୋଳନ ଓ ପରିବହନ ବାଧାପ୍ରାପ୍ତ ହୋଇଛି। ଏହି ଅର୍ଥନୈତିକ ଆନ୍ଦୋଳନରେ କଣିହାଁ ବ୍ଲକ ବିଜେଡି ମିଡିଆ ସେଲର ସଂଯୋଜକ ନିର୍ମଳ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ଧଳ, ପୂର୍ବତନ ସରପଞ୍ଚ ସୁନୀଲ ପ୍ରଧାନ, ଶ୍ୟାମ ସୁନ୍ଦର ସାହୁ, ପ୍ରଦୀପ କୁମାର ସାହୁ , ବିଶିକେଶନ ମହାନ୍ତି, ସରପଞ୍ଚ ନିଶାକର ବିଶ୍ୱାଳ, ପୂର୍ବତନ ସରପଞ୍ଚ ନିଶାକର ପ୍ରଧାନ, ଯୁବନେତା ରଞ୍ଜନ ସାହୁ, ତପନ ପ୍ରଧାନ, ହୃଷିକେଶ ସାହୁ ଓ ସ୍ମୃତି ରଞ୍ଜନ ପାଣିଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ସାମିଲ ହୋଇଥିଲେ।