ଟ୍ରମ୍ପ୍‌ଙ୍କୁ ଛାଡ଼ପତ୍ର ଦେବେ ପତ୍ନୀ ମେଲାନିଆ !

ନୂଆଦିଲ୍ଲୀ : ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ପରାଜିତ ହେବାପରେ ତାଙ୍କୁ ଛାଡ଼ପତ୍ର ଦେବେ ପତ୍ନୀ ମେଲାନିଆ। ୧୫ ବର୍ଷିଆ ‘ଟ୍ରାନ୍‌ଜାକ୍ସନାଲ୍‌ ମ୍ୟାରେଜ୍‌’ର ପରିସମାପ୍ତି ହୋଇଥିବାରୁ ସେ ଏହି ଯୋଜନା କରୁଛନ୍ତି। ଟ୍ରମ୍ପ୍‌ଙ୍କ ହ୍ଵାଇଟ୍‌ ହାଉସ୍‌ ଛାଡ଼ିବା ମୁହୂର୍ତ୍ତକୁ ସେ ଅପେକ୍ଷା କରିଛନ୍ତି ବୋଲି ମେଲାନିଆଙ୍କର ଜଣେ ପୂର୍ବତନ ସହଯୋଗୀ ଦାବି କରିଛନ୍ତି।

ହ୍ଵାଇଟ୍‌ ହାଉସ୍‌ ଅଫିସ୍‌ ଅଫ୍ ପବ୍ଲିକ୍ ଲିଆଇସନ୍’ର ପୂର୍ବତନ କମ୍ୟୁନିକେସନ୍‌ ନିର୍ଦ୍ଦେଶକ ଓମାରୋସା ମ୍ୟାନିଗଲଟ୍‌ ନିଉମ୍ୟାନ୍‌ କହିଛନ୍ତି ଟ୍ରମ୍ପ୍‌ କ୍ଷମତାରେ ଥିବା ବେଳେ ମେଲାନିଆ ଛାଡ଼ପତ୍ର ନ ଦେବାର କାରଣ ରହିଥିଲା। କ୍ଷମତାରେ ଥିବା ବେଳେ ମେଲାନିଆ ଛାଡ଼ପତ୍ର ଦେବାଭଳି ଚରମ ଅପମାନଜନକ ପଦକ୍ଷେପ ନେଲେ ଟ୍ରମ୍ପ୍‌ ତାଙ୍କୁ ଦଣ୍ଡ ଦେବାର ଉପାୟ ପାଇଯିବେ। ଟ୍ରମ୍ପ୍‌ଙ୍କ ସହ ସର୍ବସାଧାରଣରେ କଳହ ହେବା କାରଣରୁ ୨୦୧୭ ଡିସେମ୍ବରରେ ନିଉମ୍ୟାନ୍ ଅପ୍ରତ୍ୟାଶିତ ଭାବେ ଇସ୍ତଫା ଦେଇଥିଲେ।

ମେଲାନିଆଙ୍କର ଜଣେ ବାନ୍ଧବୀ କହିଛନ୍ତି ୨୦୧୬ରେ ଟ୍ରମ୍ପ୍‌ ନିର୍ବାଚନ ଜିତିବାରୁ ମେଲାନିଆ କାନ୍ଦି ପକାଇଥିଲେ। ସେ ଜିତିବେ ବୋଲି ମେଲାନିଆ କଦାପି ଆଶା କରି ନଥିଲେ। ସେଥିପାଇଁ ସେ ଦୀର୍ଘ ପାଞ୍ଚ ମାସ ପରେ ଯାଇ ନ୍ୟୁୟର୍କରୁ ୱାସିଂଟନ୍ ଯାଇଥିଲେ। ସେମାନଙ୍କ ପୁଅ ବ୍ୟାରୋନ୍‌ର ସ୍କୁଲ୍‌ ପଢ଼ା ଚାଲିଛି ବୋଲି ବାହାନା କରିଥିଲେ।

ଆମେରିକୀୟ ଫେସନ୍‌ ଓ ମନୋରଞ୍ଜନ କାର୍ଯ୍ୟନିର୍ବାହୀ ତଥା ମେଲାନିଆଙ୍କର ପୂର୍ବତନ ବରିଷ୍ଠ ପରାମର୍ଶଦାତା ଷ୍ଟେଫ୍‌ନି ୱଲ୍‌କୋଫ୍‌ କହିଛନ୍ତି ଟ୍ରମ୍ପ୍‌ ନିଜ ସମ୍ପତ୍ତିରୁ ବ୍ୟାରୋନ୍‌କୁ ସମାନ ବାଣ୍ଟ ‌ଦେବା ଲାଗି ବିବାହ ପରେ ମେଲାନିଆ ତାଙ୍କ ସହ ରାଜିନାମା କରିଥିଲେ। ସେ କହିଛନ୍ତି ହ୍ଵାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌ ଦମ୍ପତିଙ୍କର ପୃଥକ୍ ଶୟନକକ୍ଷ ଅଛି।

ଅନେକ ଗୁଜବ ଓ ସର୍ବସାଧାରଣରେ ତିକ୍ତ ପରିସ୍ଥିତି ସତ୍ତ୍ୱେ ମେଲାନିଆ ଦାବି କରନ୍ତି ସ୍ଵାମୀଙ୍କ ସହ ତାଙ୍କର ସମ୍ପର୍କ ଖୁବ୍‌ ନିବିଡ଼। ଡୋନାଲ୍‌ ଟ୍ରମ୍ପ୍‌ ମଧ୍ୟ ଦୃଢ଼ୋକ୍ତି କରନ୍ତି ସେମା‌ନେ କେବେ କଜିଆ କରନ୍ତି ନାହିଁ। ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ନିନ୍ଦା ହେବା ଭଳି କୌଣସି ପୁସ୍ତକ ପ୍ରକାଶ କିମ୍ବା ସାକ୍ଷାତ୍‌କାର କରି ପାରିବେ ନାହିଁ ବୋଲି ଦ୍ଵିତୀୟ ପତ୍ନୀ ମାର୍ଲା ମ୍ୟାପ୍‌ଲ୍‌ସ୍‌ଙ୍କ ସହ ଟ୍ରମ୍ପ୍‌ଙ୍କର ବୈବାହିକ ରାଜିନାମା ହୋଇଥିଲା। ମେଲାନିଆ ଉକ୍ତ ‘ମୌନ ଆଚରଣବିଧି’ ପ୍ରତି ସମ୍ମତ ହୋଇଥିବା କୁହାଯାଉଛି।

ମତାମତ ଦିଅନ୍ତୁ ।