ସହିଦ ଯବାନଙ୍କ ୨ୟ ବାର୍ଷିକୀରେ ମନ୍ତ୍ରୀ ଓ ନେତାଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପୁଲ୍ଓ୍ଵାମା ଆକ୍ରମଣ ଘଟଣାର ଦ୍ୱିତୀୟ ବାର୍ଷିକୀ ଅବସରରେ ସହିଦ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳର (ସିଆର୍ପିଏଫ୍) ଯବାନମାନଙ୍କ ଉଦ୍ଦେଶ୍ୟରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ମନ୍ତ୍ରୀ ଓ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଟୁଇଟ୍ କରି ଅମିତ ଶାହ ଲେଖିଛନ୍ତି, ୨୦୧୯ ମସିହାର ଆଜିର ଦିନରେ ଭୟାବହ ପୁଲ୍ଓ୍ଵାମା ଆକ୍ରମଣରେ ପ୍ରାଣ ହରାଇଥିବା ସାହସୀ ସହିଦମାନଙ୍କ ପ୍ରତି ମୁଁ ନତଃମସ୍ତକ। ଭାରତ କଦାପି ସେମାନଙ୍କର ଦୁଃସାହସ ଏବଂ ଆତ୍ମବଳିକୁ ଭୁଲି ପାରିବ ନାହିଁ।
ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ, ଯବାନମାନଙ୍କ ପରିବାରବର୍ଗଙ୍କୁ ସରକାର ସହାୟ ହେଉଛନ୍ତି। ୨୦୧୯ ପୁଲ୍ଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ଆତ୍ମବଳି ଦେଇଥିବା ସାହସୀ ‘ସିଆର୍ପିଏଫ୍’ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଜାତି ପ୍ରତି ସେମାନଙ୍କ ସେବାକୁ ଭାରତ କଦାପି ବିସ୍ମରଣ କରିବ ନାହିଁ। ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ଆମେ ସହାୟତା ଯୋଗାଇ ଦେଉଛୁ।
ସେହିଭଳି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ଟୁଇଟ୍ କରି ଲେଖିଛନ୍ତି, ଆମ ଯବାନମାନଙ୍କ ଉପରେ ହୋଇଥିବା ଭୟଙ୍କର ପୁଲ୍ଓ୍ଵାମା ଆକ୍ରମଣର ଦ୍ୱିତୀୟ ବାର୍ଷିକୀ ଅବସରରେ ଦେଶବାସୀଙ୍କ ସହ ମୁଁ ସେମାନଙ୍କ ଶୌର୍ଯ୍ୟ ଓ ଆତ୍ମବଳି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଆଗାମୀ ବଂଶଧରଙ୍କୁ ସେମାନେ ପ୍ରେରିତ କରୁଥିବେ।
ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି, ଯବାନମାନଙ୍କ ସାହସିକତା, ସାହସ ଓ ଆତ୍ମବଳି ପ୍ରତି ଦେଶ ଚିରଋଣୀ ହୋଇ ରହିବ। କଂଗ୍ରେସ ନେତା ରାହୁଳ ଗାନ୍ଧୀ ମଧ୍ୟ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ହିନ୍ଦୀରେ ଟୁଇଟ୍ କରି ସେ ଲେଖିଛନ୍ତି, ପୁଲ୍ଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା ବୀର ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ସେମାନଙ୍କ ପରିବାରବର୍ଗଙ୍କୁ ପ୍ରଣାମ। ଦେଶ ଆପଣମାନଙ୍କ ନିକଟରେ ଋଣୀ। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।