ଟୁଇନି ସିଟିରେ କୋଭିଡ ନିୟମ କଡାକଡି ପାଇଁ ମୁତୟନ ହେବେ ଏନଫୋର୍ସମେଣ୍ଟ ଟିମ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵର-କଟକରେ କୋଭିଡ ନିୟମ କାର୍ଯ୍ୟକାରିତା ଉପରେ ପ୍ରତ୍ୟକ୍ଷ ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ଅଭୟ ଭୁବନେଶ୍ୱର-କଟକ କମିସନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକରେ ହୋଇଥିଲା। ଏଥିରେ ଟୁଇନି ସିଟିର ଆଇଆଇସି, ଏସିପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ପୋଲିସ କମିସନର ସୁଧାଂଶୁ ଷଢ଼ଙ୍ଗୀ, ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ ଓ କଟକ ଡିସିପି ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ନିଷ୍ପତ୍ତି ହୋଇଛି କୋଭିଡ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ। ଏଥିପାଇଁ ଡିଜିପି ଅଭୟ ଭୁବନେଶ୍ୱର-କଟକ କମିସନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ମାର୍କେଟ ଅଂଚଳରେ ରହିବ କୋଭିଡ ଏନଫୋର୍ସମେଣ୍ଟ ଟିମ। ଏହି ଟିମ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବ।

ଡିଜିପି ଅଭୟଙ୍କ ସୂଚନା ଅନୁଯାୟୀ ହଟସ୍ପଟ ଅଂଚଳରେ କଡ଼ା ନଜର ରଖାଯିବ। ଭୁବନେଶ୍ୱର-କଟକରେ ଅଧିକ ୫୦ ପୋଲିସ ଅଫିସର ଓ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଏମାନେ କୋଭିଡ ଏନଫୋର୍ସମେଣ୍ଟ ଟିମକୁ ଅଧିକ କ୍ରିୟାଶୀଳ କରିବାରେ ସହଯୋଗ କରିବେ। କୋଭିଡ ଏନଫୋର୍ସମେଣ୍ଟ ପାଇଁ ଭୁବନେଶ୍ୱରକୁ ୩ଟି ଜୋନରେ ଭାଗ କରାଯିବ। ପ୍ରତି ଜୋନର ଜଣେ ଲେଖାଏଁ ଡିସିପି ଦାୟିତ୍ୱରେ ରହିବେ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।