ଭିଡିଓରେ ଦେଖନ୍ତୁ : ଓଡିଶାର ଟେକ ରଖିଲେ ଆସାମର ଦୁଇ ଭଉଣୀ

ନୂଆଦିଲ୍ଲୀ : ପାରମ୍ପରିକ ସମ୍ବଲପୁରୀ ଶାଢ଼ୀ ପିନ୍ଧି ପାଦରେ ପାଦ ଛନ୍ଦି ପ୍ରସିଦ୍ଧ ରଙ୍ଗବତୀ ସହ ଡାଲ୍ଖାଇ ଗୀତ ଗାଇ ନାଚିଛନ୍ତି ଆସାମର ଦୁଇ ପ୍ରସିଦ୍ଧ କଣ୍ଠଶିଳ୍ପୀ ନନ୍ଦୀ ଭଉଣୀ । ଅନ୍ତରା ଓ ଅଙ୍କିତା ନନ୍ଦୀ । ସେମାନଙ୍କ ଏହି ପରିବେଷଣ ଶହ ଶହ ଦର୍ଶକଙ୍କ ମନପ୍ରାଣକୁ ଛୁଇଁ ଯାଇଛି । ବିଶେଷକରି ଓଡ଼ିଆ ଦର୍ଶକ ସେମାନଙ୍କୁ ପ୍ରଶଂସା କରିଛନ୍ତି ।
ଦୁହିଁଙ୍କ ପ୍ରଦର୍ଶନ ସେମାନଙ୍କ ‘ବାଲ୍କୋନୀ କନସର୍ଟ’ ସିରିଜ୍ର ଏକ ଅଂଶ ଥିଲା । ଯାହା ସଙ୍ଗୀତ ପ୍ରେମୀଙ୍କ ମନୋରଞ୍ଜନ ପାଇଁ କୋଭିଡ୍-୧୯ ଲକ୍ଡାଉନ୍ ସମୟରେ ସେମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ରଙ୍ଗବତୀ ସହ ଡାଲ୍ଖାଇକୁ ନେଇ ସେମାନେ ପ୍ରସ୍ତୁତ କରିଥିବା ୩ମିିନିଟ୍ ୪୦ସେକେଣ୍ଡ୍ର ଏହି ଭିଡିଓକୁ ସୋସିଆଲ୍ ମିଡିଆର ବିଭିନ୍ନ ପ୍ଲାଟ୍ଫର୍ମରେ ଅପ୍ଲୋଡ୍ କରିଛନ୍ତି । ଯାହାକୁ ହଜାର ହଜାର ଦର୍ଶକ ଦେଖିବା ସହ ଲାଇ୍କ୍ ଓ ଶେୟାର କରି ମତାମତ ଦେଇଛନ୍ତି ।
ଏହି ଅବସରରେ ଦୁଇ ଭଉଣୀ ଅନ୍ତରା ଓ ଅଙ୍କିତା କହିଛନ୍ତି, ‘ଓଡ଼ିଆ ଆମର ମାତୃଭାଷା ନୁହେଁ । କିନ୍ତୁ ଆଶା କରୁଛୁ ଯେ, ଆପଣମାନେ ଆମର କିଛି ବି ଭୁଲକୁ କ୍ଷମା କରିବେ । ଆଉ ଆମର ଗୀତ ଶୁଣି ଆନନ୍ଦ ଲାଭ କରିବେ’ । ପ୍ରଶଂସକମାନେ ସେମାନଙ୍କୁ ଓଡ଼ିଆରେ ଗୀତ ଗାଇବାକୁ କହିଥିଲେ । ପରେ ସେମାନେ ଏହି ସମ୍ବଲପୁରୀ ଲୋକ ଗୀତ ଗାଇଥିଲେ ।
ପୂର୍ବରୁ ବିଭିନ୍ନ ଭାଷାର ଗୀତ ଗାଇଥିଲା ବେଳେ ଏହା ହେଉଛି ‘ବାଲ୍କୋନୀ କନସର୍ଟ’ ସିରିଜ୍ର ୧୫ତମ ଭାଷାରେ ଗୀତ। ଏହି ଗୀତ ପାଇଁ ଦୁହେଁ ସ୍ୱତନ୍ତ୍ର ପାରମ୍ପରିକ ସମ୍ବଲପୁରୀ ପୋଷାକ, ଅଳଙ୍କାର ପିନ୍ଧିଥିଲେ । ଯାହାକୁ ଝାରସୁଗୁଡ଼ାରୁ ଶିବାନୀ ପଣ୍ଡା ଏବଂ ତାଙ୍କ ଶିକ୍ଷକ ଦୀନେଶ ପଲାଇ ପଠାଇଥିଲେ । ସେଥିଲାଗି ସେମାନଙ୍କୁ ଅନ୍ତରା ଓ ଅଙ୍କିତା ଧନ୍ୟବାଦ ଜଣାଇଛନ୍ତି ।