ଉତ୍କଳ ଦିବସରେ ବଡ ସମାବେଶ ମନା : କୋଭିଡ୍ କଟକଣା ମାନିବା ବାଧ୍ୟତାମୂଳକ

ଭୁବନେଶ୍ଵର : ଉତ୍କଳ ଦିବସ ପାଳନ ପାଇଁ ଜାରି ହୋଇଛି ଗାଇଡଲାଇନ୍। କରୋନା ସଂକ୍ରମଣକୁ ନଜରରେ ରଖି ଉତ୍କଳ ଦିବସ ପାଳନ ହେବ। କୋଭିଡ୍ କଟକଣା ମାନିବାକୁ ବାଧ୍ୟତାମୂଳକ କରାଯାଇଛି। ସ୍ଵତନ୍ତ୍ର ରିଲିଫ୍ କମିଶନର ଜାରି କରିଥିବା ନିର୍ଦ୍ଦେଶନାମାରେ ଏହା ସୂଚିତ କରାଯାଇଛି।

ଗାଇଡଲାଇନ୍ ଅନୁଯାୟୀ ଉତ୍କଳ ଦିବସ ପାଳନ ସମୟରେ ରାଜ୍ୟରେ କୌଣସି ସ୍ଥାନରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ସରକାରୀ ବୈଠକ ଓ ଉତ୍ସବ ପାଳନରେ ସର୍ବାଧିକ ୨୦୦ ଲୋକଙ୍କୁ ସାମିଲ ହେବାକୁ ଅନୁମତି ମିଳିଛି। କିନ୍ତୁ ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ସହିତ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି। ସଭା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ଅନୁମତି ନାହିଁ।

ସେହିପରି ସାମାଜିକ, ସାଂସ୍କୃତିକ, କ୍ରୀଡା, ମନୋରଂଜନ, ଶିକ୍ଷାନୁଷ୍ଠାନ ତଥା ଧାର୍ମିକ କାର୍ଯ୍ୟକ୍ରମ ଉପରେ ଲାଗୁ ହୋଇଛି କଟକଣା। ଯଦି ଅନ୍ୟ କୌଣସି ସଂଗଠନ କରୋନା ନିୟମ ପାଳନ କରି ଉତ୍କଳ ଦିବସ ପାଳନ କରିବାକୁ ଚାହିଁବେ ତେବେ ସ୍ଥାନୀୟ ପ୍ରଶାସନ ଠାରୁ ନେବାକୁ ପଡିବ ଅନୁମତି। ଜିଲ୍ଲାପାଳ ଓ ମୁନିସିପାଲ ଚେୟାରମ୍ୟାନଙ୍କ ଅନୁମତି ନେଇପାରିବେ। ଉତ୍କଳ ଦିବସ ପାଳନରେ କରୋନା କଟକଣାକୁ ଉଲଂଘନ ହୁଏ ତାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button