କରୋନା ଯୋଦ୍ଧାଙ୍କ ସମ୍ମାନ ପାଇଁ ଲକ୍ଷ୍ମୀସାଗରରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ

ଭୁବନେଶ୍ଵର : ମହାମାରୀ କରୋନା ଭୂତାଣୁ ସାରା ବିଶ୍ଵରେ କାୟା ବିସ୍ତାର କରିଛି। ଆମ ଦେଶ ଓ ରାଜ୍ୟ ଉପରେ ପଡିଛି ଏହାର ପ୍ରଭାବ। ଓଡିଶାର ଆର୍ଥିକ ବ୍ୟବସ୍ଥା ସହିତ ସ୍ୱାସ୍ଥ୍ୟ, ବାଣିଜ୍ୟ, ପର୍ଯ୍ୟଟନ ଓ କଳା ସଂସ୍କୃତି ଆଦିକୁ ପ୍ରଭାବିତ କରିଛି କରୋନା। ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। କାରୋନା ବିରୋଧୀ ଲଢେଇର ଆଗ ଧାଡିରେ ରହିଛନ୍ତି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ ଓ ସଫେଇ କର୍ମଚାରୀ ପ୍ରମୁଖ। ଏହି କାରୋନା ଯୋଦ୍ଧାମାନଙ୍କୁ ‘ବନ୍ଦେ ଉତ୍କଳ ଜନନୀ’ ଗାନକରି ସମ୍ବର୍ଦ୍ଧନ ଜଣାଇବା ପାଇଁ ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଥିଲେ। ଏହାକୁ ପ୍ରତ୍ୟେକ ଓଡିଆ ଗ୍ରହଣ କରି ଶନିବାର ସନ୍ଧ୍ୟା ସାଢେ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିଛନ୍ତି।

ସେହିକ୍ରମରେ ରାଜଧାନୀ ଭୁବନେଶ୍ଵର ଲକ୍ଷ୍ମୀସାଗର ଥାନା ନିକଟରେ ‘ବନ୍ଦେ ଉତ୍କଳ ଜନନୀ’ କାର୍ଯ୍ୟକ୍ରମ ମେ’ ୩୦ ତାରିଖ ସନ୍ଧ୍ୟା ସାଢେ ୫ଟା ସମୟରେ ଆୟୋଜନ କରାଯାଇଥିଲା। କାରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ ଓ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ପାଇଁ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏହାକୁ ସଫଳ କରିବାର ମୁଖ୍ୟ ଦାୟିତ୍ଵ ତୁଲାଇଥିଲେ ଲକ୍ଷ୍ମୀସାଗର ଥାନା ଅଧିକାରୀ ଦୟାନିଧି ନାୟକ। ନିର୍ଦ୍ଧାରିତ ସମୟରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରାଯାଇଥିଲା। ଏଥିରେ ସାମିଲ ହୋଇଥିବା ବ୍ୟକ୍ତିମାନେ ସାମାଜିକ ଦୂରତା ରକ୍ଷା କରି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ। ପରେ କରୋନ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏ ସମସ୍ତ କାର୍ଯ୍ୟରେ ଲକ୍ଷ୍ମୀସସାଗର ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ, ଯୁବକ ଓ ଛାତ୍ର, ଜୱାନ କ୍ଲବ ଓ ଗୋପବନ୍ଧୁ କ୍ଲବର ସଦସ୍ୟମାନେ ସହଯୋଗ କରିଥିଲେ।

ମତାମତ ଦିଅନ୍ତୁ ।