ଉପ ନିର୍ବାଚନ ପାଇଁ ବାଲେଶ୍ୱରରେ ବିଜେଡ଼ିର କସରତ : ଚର୍ଚ୍ଚାରେ ଅରିନ୍ଦମ

ବାଲେଶ୍ୱର : ବାଲେଶ୍ୱର ସଦର ଉପ-ନିର୍ବାଚନରେ ଶାସକ ବିଜୁ ଜନତା ଦଳ କାହାକୁ ପ୍ରାର୍ଥୀ କରିବ। ଜିଲ୍ଲାର ପୁରୁଣା ନେତାଙ୍କୁ ବାଛିବ ନାଁ ନୂଆ ମୁହଁ। ଏନେଇ ଏବେ ସ୍ପଷ୍ଟ ଚିତ୍ର ମିଳିନି। କିନ୍ତୁ ଚର୍ଚ୍ଚା ହେଉଛି ଅଭିନେତା ଅରିନ୍ଦମ ଦାସଙ୍କୁ ମିଳିବ ଟିକଟ। ଏଥିରେ ସତ୍ୟତା ଥାଉ ବା ନଥାଉ ଅରିନ୍ଦମଙ୍କ ପଛରେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ସମର୍ଥନ ରହିଥିବା କୁହାଯାଉଛି।

ଅନ୍ୟପକ୍ଷରେ ଚର୍ଚ୍ଚାହେଉଛି ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ଅନେକ ଆଶାୟୀ ରହିଛନ୍ତି। ନିଜେ ଜିଲ୍ଲା ସଭାପତି ସେ ମଧ୍ୟରୁ ଜଣେ। ଯଦି ଦଳ ଅରିନ୍ଦମଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଏ ତେବେ ସେ ଚୁପ ରହି ସମର୍ଥନ ଜଣାଇବେ। ମଝିରେ ତାଙ୍କ ପତ୍ନୀଙ୍କ କଥା ଉଠିଥିଲା। ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ମଧ୍ୟ ଲବିରେ ରହିଛନ୍ତି। ହେଲେ କଥା ଆଗକୁ ବଢିବାକୁ ସୁଯୋଗ ମିଳୁନି। ତେବେ ବାଲେଶ୍ଵର ସହରବାସୀ କାହାକୁ ପସନ୍ଦ କରୁଛନ୍ତି ତାହା ବିଚାର କରିବା ଜରୁରୀ। କାରଣ ଏହି ଆସନଟି ବିଜେପି ଖାତାକୁ ଯାଇଥିଲା। ତେଣୁ ବିଜେପି ଏହାକୁ ହାତଛଡା ନକରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବ। ସେହିପରି ଆଲୋଚନା ହେଉଛି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ଏଠାରୁ ପ୍ରାର୍ଥୀ ହେବେ। ଯଦି ତାହା ହୁଏ ତେବେ ପ୍ରତିଦ୍ଵନ୍ଦ୍ଵିତା ଜୋରଦାର ହେବ ଏଥିରେ ଦ୍ଵିମତ ନାହିଁ।

ଆହୁରି ଖବର ମିଳିଛି ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗତକାଲିଠାରୁ ବାଲେଶ୍ଵରରେ ଡେରା ପକାଇଛନ୍ତି। ଆଜି ଜିଲ୍ଲାର ସମସ୍ତ ବିଧାୟକ, ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ପରାଜିତ ବିଧାୟକଙ୍କ ସହ ସର୍କିଟ ହାଉସରେ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ସେହିପରି ବିଜେପି ପକ୍ଷରୁ ମଧ୍ୟ ବାଲେଶ୍ୱର ସଦର ଉପନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଦଳର ନେତା କହୁଛନ୍ତି ଆମେ ଭଲ ସ୍ଥିତିରେ ଅଛୁ। କଂଗ୍ରେସ ଆଶା ରଖିଛି ବିଜେଡି-ବିଜେପି ପ୍ରତିଦ୍ଵନ୍ଦ୍ଵୀତାରୁ ଫାଇଦା ନେବାକୁ। କିନ୍ତୁ ରାଜନୈତିକ ବିଶାରଦମାନେ ମତ ପ୍ରାର୍ଥୀ ଚୟନ ପରେ କେଉଁ ଦଳର ସ୍ଥିତି କ’ଣ ତାହା ଜଣାପଡିବ।

ମତାମତ ଦିଅନ୍ତୁ ।