ଉତ୍କଳ ବିଶ୍ୱବିଦ୍ୟାଳୟରେ ନୂଆ ପରୀକ୍ଷା କେନ୍ଦ୍ରର ଶିଳାନ୍ୟାସ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ନୂଆ ପରୀକ୍ଷା କେନ୍ଦ୍ର ନିର୍ମାଣ ହେବ। ଏହି କେନ୍ଦ୍ରରେ ଏକକାଳୀନ ୩୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ। ନିର୍ମାଣ ହେବାକୁ ଥିବା ପ୍ରାୟ ୨୬ ହଜାର ବର୍ଗଫୁଟରେ ପରୀକ୍ଷା କେନ୍ଦ୍ରକୁ ସୋମବାର ବିଶ୍ୱବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ଶିଳାନ୍ୟାସ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳସଚିବ ଅଭୟ କୁମାର ନାୟକ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଉପସ୍ଥିତ ଥିଲେ ।

ଏହି ପରୀକ୍ଷା କେନ୍ଦ୍ର ପାଇଁ ମୋଟ୍ ୪ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ୱାଲର୍ଡ ବ୍ୟାଙ୍କ ଗ୍ରାଣ୍ଟ ଯୋଗେ ନିର୍ମାଣ ହେବାକୁ ଯାଉଥିବା ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଓଡ଼ିଶା ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ୍‌ ଦିଆଯାଇଛି। କେନ୍ଦ୍ରକୁ ଠିକ୍‌ ସମୟସୀମା ମଧ୍ୟରେ ପୂରା କରିବାକୁ କୁଳପତି ନିର୍ଦ୍ଦେଶ ଦେଇଛନ୍ତି । କୁଳସଚିବ କହିଛନ୍ତି ଯେଉଁ ସମୟରେ ପରୀକ୍ଷା ନଥିବ ସେହି ସମୟରେ କେନ୍ଦ୍ରକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ। ଅନ୍ୟମାନଙ୍କ ମଧ୍ୟରେ ପୋଲିସ ହାଉସିଂ କର୍ପୋରେସନ୍‌ ଜଏଣ୍ଟ ମ୍ୟାନେଜର ଅବେଶ କୁମାର ମହାନ୍ତି, ଡେପୁଟି ମ୍ୟାନେଜର ସୁନୀଲ କୁମାର ରାୟ ଓ ଆସିଷ୍ଟାଣ୍ଟ ମ୍ୟାନେଜର ଆଶିଷ ରାୟ ଆଦି ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।