ସଂସଦରେ ମହିଳାଙ୍କୁ ଦୁଷ୍କର୍ମ : ବାଃ ବାଃ..ରେ ସରକାର…

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ସଂସଦ ପରିସରରେ ଜଣେ ମହିଳା କର୍ମଚାରୀଙ୍କୁ ଅନ୍ୟ ଜଣେ କର୍ମଚାରୀ ବଳାତ୍କାର କରିବା ଘଟଣା ସାମ୍ନାକୁ ଆସିବା ପରେ ଦେଶରେ ହଇଚଇ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ସହିତ ପୀଡ଼ିତା ମହିଳାଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।
ରିପୋର୍ଟ ଅନୁଯାୟୀ, ବ୍ରିଟାନି ହିଗିନ୍ସ ନାମ୍ନୀ ଜଣେ ମହିଳା ସୋମବାର ଏକ ଟିଭି କାର୍ଯ୍ୟକ୍ରମରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଏହା ୨୦୧୯ ମାର୍ଚ୍ଚ ମାସର ଘଟଣା। ତାଙ୍କୁ ବଳାତ୍କାର କରିଥିବା ବ୍ୟକ୍ତି ଜଣକ ଶାସକ ଲିବେରାଲ ପାର୍ଟିର ଜଣେ ସଦସ୍ୟ ଅଟନ୍ତି। ଘଟଣା ଦିନ ସେ ନିଜର କାମ ସାରି ଘରକୁ ଫେରିବାକୁ ଚାହୁଁଥିଲା ବେଳେ ସଂପୃକ୍ତ କର୍ମଚାରୀ ଜଣକ ତାଙ୍କୁ କିଛି ବାହାନା କରି ସଂସଦ ଭବନକୁ ନେଇଯାଇଥିଲେ। ସେଠାରେ ତତ୍କାଳୀନ ପ୍ରତିରକ୍ଷା ଶିଳ୍ପମନ୍ତ୍ରୀ ତଥା ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ ଲିଣ୍ଡା ରେନୋଲ୍ଡସଙ୍କ ଅଫିସ ଭିତରେ ଉକ୍ତ କର୍ମଚାରୀ ତାଙ୍କୁ ବଳାତ୍କାର କରିଥିଲେ।
ସେ ୨୦୧୯ ଏପ୍ରିଲରେ ଏହି ଘଟଣା ନେଇ ପୁଲିସ ସହ କଥା ହୋଇଥିଲେ। ତେବେ ପୁଲିସ ତାଙ୍କୁ ଲିଖିତ ଅଭିଯୋଗ କରିବାକୁ କହିଥିଲା। ମାତ୍ର ତାଙ୍କର ଚାକିରି ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କାରେ ସେ ବିଧିବଦ୍ଧ ଭାବେ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିନଥିଲେ। ତେବେ ତାଙ୍କର କିଛି ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଏହି ଘଟଣା ସମ୍ପର୍କରେ ଜଣାଅଛି। କିନ୍ତୁ ସେମାନେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଓଲଟା ସେହି ଅଫିସରେ ଏକ ବୈଠକ ଡକାଇଥିଲେ ଯେଉଁଠାରେ ତାଙ୍କୁ ବଳାତ୍କାର କରାଯାଇଥିଲା। ବୈଠକକୁ ତାଙ୍କୁ ବି ଡକାଯାଇଥିଲା। ସେଠାରେ ତାଙ୍କୁ ଆକ୍ରମଣ କରାଯାଇଥିଲା।
ହିଗିନ୍ସ ଆହୁରି କହିଛନ୍ତି କି ‘କର୍ମସ୍ଥଳୀକୁ ମହିଳାମାନଙ୍କ ପାଇଁ ଆହୁରି ସୁରକ୍ଷିତ କରାଯିବା ଆବଶ୍ୟକ। ତା’ଛଡା ସଂସଦ ଦ୍ୱାରା କର୍ମଚାରୀମାନଙ୍କର ଅଭିଯୋଗ ଶୁଣିବା ପାଇଁ ଏପରି ବ୍ୟବସ୍ଥା କରାଯିବା ଦରକାର ଯାହା ଦ୍ଵାରା କି ଅଭିଯୋଗକାରୀଙ୍କ ଗୋପନୀୟତା ବଜାୟ ରହିବ ଏବଂ ତାଙ୍କୁ ଚାକିରି ବି ହରାଇବାକୁ ପଡିବ ନାହିଁ । ପ୍ରଧାନମନ୍ତ୍ରୀ ମୋରିସନ ଆଜି କହିଛନ୍ତି କି ‘ଅଭିଯୁକ୍ତ କର୍ମଚାରୀ ଜଣକ ରାତିରେ ଜଣେ ମହିଳାଙ୍କୁ ସଂସଦ ଭବନ ପରିସରକୁ ଆଣି ସେଠାକାର ସୁରକ୍ଷା ନିୟମ ଭାଙ୍ଗିଛନ୍ତି । ତେଣୁ ସେହି କର୍ମଚାରୀକୁ ତୁରନ୍ତ ପଦବିରୁ ବହିଷ୍କାର କରାଯାଇଛି । ପୀଡ଼ିତା ମହିଳାଙ୍କ ସହିତ ଯାହା ଘଟିଥିଲା, ତାହା ଅତି ନିନ୍ଦନୀୟ । ଏପରି ଘଟିବାର ନଥିଲା । ମୁଁ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି । ଏଠାରେ କାମ କରୁଥିବା ସବୁ ମହିଳା କର୍ମଚାରୀ ଯେପରି ସୁରକ୍ଷିତ ଅନୁଭବ କରିପାରିବେ, ତାହା ମୁଁ ସୁନିଶ୍ଚିତ କରିବି ।’