କୋଷ୍ଠକାଠିନ୍ୟ କାହିଁକି ହୁଏ ?

{Drx. Gyana Ranjan swain } ଆଧୁନିକ ଜୀବନ ଶୈଳୀ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଜନ୍ମ ଦେଇଛି। ତନ୍ମଧ୍ୟରୁ କୋଷ୍ଠକାଠିନ୍ୟ ଅନ୍ୟତମ । ଏହି ରୋଗର ଶିକାର ହୋଇଛନ୍ତି ଛୋଟପିଲା, କିଶୋର, ଯୁବକ, ପ୍ରୌଢ଼ ଓ ବୃଦ୍ଧ। ଏହି ସମସ୍ୟାରୁ ମୁକ୍ତି ପାଇଁ ମଣିଷ ଅନେକ ଚେଷ୍ଟା ପ୍ରଚେଷ୍ଟା କରିଛି। କିନ୍ତୁ ଏହାର ସ୍ଥାୟୀ ସମାଧାନ କିଛି କରିପାରି ନାହିଁ।

ଆପଣ ନିରୋଗୀ ଥିବା ବେଳେ ଆପଣଙ୍କ ପେଟ ଭଲ ଭାବରେ ସଫା ହୋଇଥାଏ ବା ଝାଡ଼ା ସଫା ହୋଇଥାଏ । ଏହି ଦୃଷ୍ଟିକୋଣରୁ ଦେଖିଲେ ଅନେକଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି। ତେବେ ଏ କୋଷ୍ଠକାଠିନ୍ୟ କ’ଣ ? ଏହା କାହିଁକି ହୁଏ ? ଏଥିରୁ କ’ଣ ମୁକ୍ତି ପାଇପାରିବାନି ? ଯଦି ହଁ ତେବେ କେମିତି ?

କୋଷ୍ଠକାଠିନ୍ୟ କ’ଣ ?

ପେଟ ଭଲଭାବରେ ସଫା ନ ହେବାର ସ୍ଥିତିକୁ କୋଷ୍ଠକାଠିନ୍ୟ କୁହାଯାଏ । ଜଣେ ସାଧାରଣ ବ୍ୟକ୍ତି ଦିନକୁ ଦୁଇଥର ଶୌଚ ଯିବା ଉଚିତ୍ । ଯଦି ୨୪ ଘଣ୍ଟାରେ ଥରେ ଶୌଚ କର୍ମ ହୋଇନଥାଏ ବା ଦୁଇତିନି ଦିନରେ ଥରେ ଝାଡ଼ା ହୁଏ କିମ୍ୱା ଅଳ୍ପମାତ୍ରାରେ ହୁଏ ତାହାକୁ କୋଷ୍ଠବଦ୍ଧତା କୁହାଯାଏ। କୋଷ୍ଠବଦ୍ଧତାକୁ ଦୁଇଭାଗରେ ବିଭକ୍ତ କରାଯାଏ। ଯଥା- ସାଧାରଣ ଓ (କ୍ରୋନିକ୍) ପୁରାତନ। ସାଧାରଣ କୋଷ୍ଠବଦ୍ଧତା ଖାଇବା ପିଇବାର ଅନିୟମିତତା ଯୋଗୁଁ ହୋଇଥାଏ । ଯାହା କି ଦୁଇ ତିନିଦିନରେ ଠିକ୍ ହୋଇଯାଇଥାଏ । କିନ୍ତୁ କ୍ରୋନିକ୍ ବା ସ୍ଥାୟୀ କୋଷ୍ଠବଦ୍ଧତା ଲମ୍ୱା ସମୟ ପର୍ଯ୍ୟନ୍ତ ଲାଗି ରହିଥାଏ ।

କୋଷ୍ଠବଦ୍ଧତାର କାରଣ :-

ମାନସିକ ଦୁଶ୍ଚିନ୍ତା, ଥାଇରଡ୍ ଗ୍ରନ୍ଥିର ଅଗତିଶୀଳତା, ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଓ ଆରାମଦାୟକ ଜୀବନଶୈଳୀ କୋଷ୍ଠବଦ୍ଧତାର କାରଣ ହୋଇଥାଏ। ସେହିପରି ଫାଷ୍ଟଫୁଡ୍ ବା ଜଙ୍କଫୁଡ୍ ଖାଇବା, ଖାଦ୍ୟରେ ଅନିୟମିତତା, ମଳର ବେଗକୁ ରୋକିବା, ଶାରୀରିକ ଶ୍ରମ ଓ ବ୍ୟାୟାମ ନ କରିବା, ଖାଦ୍ୟ ଜଲଦି ଖାଇବା, ଆବଶ୍ୟକତାଠାରୁ କମ୍ ଖାଦ୍ୟ ଖାଇବା, ପାଣି କମ୍ ପିଇବା, ଚା’, କଫିର ଅଧିକ ବ୍ୟବହାର, ଧୂମ୍ରପାନ ଓ ମଦ୍ୟପାନ ଆଦି ବହୁ କାରଣ ପାଇଁ କୋଷ୍ଠବଦ୍ଧତାର ରୋଗ ସୃଷ୍ଟି ହୋଇଥାଏ।

କୋଷ୍ଠବଦ୍ଧତା ଜନିତ ରୋଗ :-

ଅର୍ଶ, ମଳକଣ୍ଟକ, ଭଗନ୍ଦର, ଗ୍ୟାଷ୍ଟିକ୍, ଏସିଡ଼ିଟି, ମୁଣ୍ଡ ବୁଲାଇବା, ଶରୀର ଦୁର୍ବଳ ଲାଗିବା, ଛାତି ବିନ୍ଦା, ପେଟ ଦରଜ, ହାର୍ନିଆ, ମୂତ୍ର ରୋଗ, ଆଣ୍ଠୁଗଣ୍ଠି ବାତ, ଶ୍ୱାସ, ମହିଳାମାନଙ୍କର ପ୍ରଦର ରୋଗ, ଉଚ୍ଚ ରକ୍ତଚାପ, ତୁଣ୍ଡ ଘା’, ମୁଣ୍ଡବିନ୍ଧା, ଆଳସ୍ୟ, ଶରୀର ଭାରି, ଚିଡ୍‌ଚିଡ଼ାପଣ, ବ୍ରଣ ଓ ଚର୍ମରୋଗ ଆଦି କୋଷ୍ଠବଦ୍ଧତା ପାଇଁ ହୋଇଥାଏ।

କୋଷ୍ଠବଦ୍ଧତାରେ ଉପଯୋଗୀ ଫଳ :– ପିଜୁଳି, ଅଙ୍ଗୁର, ଅଞ୍ଜିର, ଅମୃତଭଣ୍ଡା, ପାଚିଲା ଡାଳିମ୍ୱ ଇତ୍ୟାଦି ।

ପନିପରିବା :- ଫୁଲକୋବି, ଧନିଆପତ୍ର, ଭେଣ୍ଡି, ଗାଜର, ଗୁଆଁର, ରସୁଣ, ଆଳୁ, ସଜନା, ପିଆଜ, କଲରା, ବାଇଗଣ, ସାରୁ, ଶିମ୍ୱ ଇତ୍ୟାଦି ।

କୋଷ୍ଠବଦ୍ଧତା ବା କୋଷ୍ଠକାଠିନ୍ୟରୁ ମୁକ୍ତି ପାଇଁ କେତେକ ଉପାଦେୟ ତଥ୍ୟ ନିମ୍ନରେ ପ୍ରଦାନ କରାଗଲା :-

– ଫଳରସ ବା ଫଳ ଜୁସ୍ ବଦଳରେ ଖାଦ୍ୟ ପରେ ଯେକୌଣସି ଫଳ ସେବନ କରନ୍ତୁ ।

– ଖାଦ୍ୟ ଖାଇବାର ଅଧଘଣ୍ଟା ପରେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ ।

– ସକାଳ ଜଳଖିଆରେ ଅଙ୍କୁରିତ ଖସ୍ୟ ଯଥା :- ଚଣାଗଜା, ମୁଗଗଜା, ଗହମ ଗଜା, ସୋୟାବିନ୍ ଇତ୍ୟାଦି ବ୍ୟବହାର କରନ୍ତୁ ।

– ନିୟମିତ ଠିକ୍ ସମୟରେ ଖାଦ୍ୟ ଖାଆନ୍ତୁ ।

– ଧୂମ୍ରପାନ ତ୍ୟାଗ କରନ୍ତୁ ।

– ଫାଷ୍ଟଫୁଡ୍ ଓ ଜଙ୍କଫୁଡ୍ ବ୍ୟବହାର କରନ୍ତୁ ନାହିଁ ।

– ଖାଦ୍ୟ ଧୈର୍ଯ୍ୟ ପୂର୍ବକ ଏବଂ ଠିକ୍ ଭାବରେ ଚୋବାଇ ଚୋବାଇ ଖାଆନ୍ତୁ ।

– ସପ୍ତାହରେ ଗୋଟିଏ ଓଳି ଉପବାସ ରୁହନ୍ତୁ ।

– ଶୋଇବାର ଦୁଇଘଣ୍ଟା ପୂର୍ବରୁ ରାତ୍ରି ଭୋଜନ କରନ୍ତୁ ।

– ଶାରୀରିକ ଶ୍ରମ କରନ୍ତୁ ।

– ଚୋକଡ଼ ମିଶା ଅଟା ବ୍ୟବହାର କରନ୍ତୁ ।

– ତମ୍ୱାପାତ୍ରରେ ସନ୍ଧ୍ୟାବେଳେ ରହିଥିବା ପାଣିକୁ ଶଯ୍ୟା ତ୍ୟାଗ ପରେ ତୁରନ୍ତ ଅଧୁଆ ମୁହଁରେ ପିଅନ୍ତୁ ।

– ଚା’ ଏବଂ କଫି ପିଇବାରୁ ନିବୃତ୍ତ ରୁହନ୍ତୁ ।

– ଠିକ୍ ସମୟରେ ଶୁଅନ୍ତୁ ଏବଂ ଠିକ୍ ସମୟରେ ଉଠନ୍ତୁ ।

ମତାମତ ଦିଅନ୍ତୁ ।