‘ହୁ’ ମାନିଲା ‌କରୋନା ବାୟୁବାହିତ

ଜେନେଭା : କାଶିବା ବା ଛିଙ୍କିବା ଯୋଗୁଁ ଜଣେ ବ୍ୟକ୍ତି ଠାରୁ ନିର୍ଗତ ହେଉଥିବା ଜଳୀୟ କଣା କରୋନା ଭୂତାଣୁ ସାର୍ସ-କୋଭ୍-୨ ସଂକ୍ରମିତ ହୁଏ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଉଥିଲା। ତେବେ ଏହା ବାୟୁ ଦ୍ବାରା ବି ପରିବାହିତ ହୁଏ ବୋଲି ‘ହୁ’ ସ୍ବୀକାର କରିଛି। ବାୟୁମଣ୍ଡଳରେ ଭାସମାନ ଅବସ୍ଥାରେ ଥିବା କ୍ଷୁଦ୍ର ଜଳକଣିକା ଦ୍ବାରା ମଧ୍ୟ କରୋନା ଭୂତାଣୁ ସଂକ୍ରମିତ ହେବାର ସମ୍ଭାବନା ରହିଛି ବୋଲି ‘ହୁ’ର ସଂକ୍ରମଣ ନିବାରଣ ଓ ନିୟନ୍ତ୍ରଣ ପ୍ରମୁଖ ଡା. ବେନେଡେଟ୍ଟା ଆଲେଗ୍ରାଞ୍ଜି ପ୍ରକାଶ କରିଛନ୍ତି। ଏସଂପର୍କରେ ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ ଦେଇଥିବା ମତାମତକୁ ଗ୍ରହଣ କରିଛି ସଂଗଠନ। ତେବେ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। 

ନିକଟରେ ବୈଜ୍ଞାନିକ ଦାବି କରିଥିଲେ ଯେ କରୋନା ଭୂତାଣୁ ବାୟୁରେ ପରିବାହିତ ହେଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଚିଠି ଲେଖି କରୋନା ଗାଇଡଲାଇନ୍ସରେ ପରିବର୍ତ୍ତନ କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ବିଶେଷ କରି ଅତି ଗହଳି ସ୍ଥାନ, ନିବୁଜ କୋଠରୀ ଏବଂ ଦୁର୍ବଳ ବାୟୁ ଚଳାଚଳ କରୁଥିବା ସ୍ଥାନମାନଙ୍କରେ କରୋନା ଭୂତାଣୁ ବାୟୁ ଦ୍ବାରା ଅନ୍ୟ ଶରୀରକୁ ପରିବାହିତ ହୋଇପାରିବ ବୋଲି ବୈଜ୍ଞାନିକମାନେ କହିଥିଲେ। ଏ ସଂପର୍କରେ ଡା. ଆଲେଗ୍ରାଞ୍ଜି କହିଛନ୍ତି ଯେ ଏହାକୁ ପ୍ରମାଣ କରିବା ଲାଗି ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ଏହି ତଥ୍ୟକୁ ବିଶ୍ଲେଷଣ କରିବା ପରେ ନିର୍ଦ୍ଦିଷ୍ଟ ନିଷ୍ପତ୍ତିରେ ପହଞ୍ଚିପାରିବା। ଏହାପରେ ଯାଇ ଗାଇଡଲାଇନ୍ସରେ ପରିବର୍ତ୍ତନ କରାଯିବ।

ମତାମତ ଦିଅନ୍ତୁ ।