ସ୍ତ୍ରୀ ଗୁଲାମ କିମ୍ବା ବସ୍ତୁ ନୁହନ୍ତି : ହାଇକୋର୍ଟ

ମୁମ୍ବଇ : ସ୍ତ୍ରୀ କୌଣସି ଗୁଲାମ କିମ୍ବା ବସ୍ତୁ ନୁହନ୍ତି । ସେ ଯଦି ସ୍ବାମୀ ପାଇଁ ଚା’ ପ୍ରସ୍ତୁତ କରିବାକୁ ମନା କରନ୍ତି, ତେବେ ତାଙ୍କୁ ଦୁର୍ବ୍ୟବହାରକାରୀ ବୋଲି ବିବେଚନା କରି ମାଡ଼ ମରାଯାଇ ପାରିବ ନାହିଁ ବୋଲି ଗୁରୁବାର ବମ୍ବେ ହାଇକୋର୍ଟ ଏକ ହତ୍ୟା ମାମଲାର ଶୁଣାଣି ସମୟରେ ଗୁରୁତ୍ଵପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଏହା ସହିତ ସ୍ତ୍ରୀ ହତ୍ୟାକାରୀ ଜଣେ ୩୫ ବର୍ଷୀୟ ଯୁବକଙ୍କୁ ତଳ କୋର୍ଟ ଦେଇଥିବା ଦଣ୍ଡାଦେଶକୁ କାଏମ ରଖିଛନ୍ତି।

ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ଦମ୍ପତିଙ୍କ ୬ବର୍ଷୀୟା ଝିଅର ବୟାନ ଭରସାଯୋଗ୍ୟ। ୨୦୧୬ରେ ତଳ କୋର୍ଟ ଦ୍ବାରା ଦୋଷୀ ସନ୍ତୋଷ ଅଖତରଙ୍କୁ ଦେଇଥିବା ୧୦ ବର୍ଷ ଜେଲ ଦଣ୍ଡାଦେଶକୁ କାଏମ ରଖିଥିଲେ। ୨୦୧୩ ଡିସେମ୍ବରରେ ସନ୍ତୋଷଙ୍କ ସ୍ତ୍ରୀ ତାଙ୍କ ପାଇଁ ଚା’ ତିଆରି ନ କରି ବାହାରୁ ପିଇଦେବାକୁ କହିଥିଲେ। ଏହା ପରେ ସନ୍ତୋଷ ତାଙ୍କ ମୁଣ୍ଡକୁ ଏକ ହାତୁଡ଼ିରେ ପିଟି ହତ୍ୟା କରିଥିଲେ।

ଦମ୍ପତିଙ୍କ ୬ବର୍ଷୀୟା ଝିଅର ବୟାନ ଅନୁସାରେ, ସନ୍ତୋଷ ତାଙ୍କ ସ୍ତ୍ରୀଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟିବା ପରେ ସେ ଗୁରୁତର ଆହତ ହୋଇଥିଲେ। ଏହା ପରେ ସନ୍ତୋଷ ଘଟଣାସ୍ଥଳରେ ପଡ଼ିଥିବା ରକ୍ତକୁ ସଫା କରିଥିଲେ। ପରେ ସ୍ତ୍ରୀଙ୍କୁ ଗାଧୋଇଦେବା ପରେ ହସ୍ପିଟାଲକୁ ନେଇଥିଲେ। ମହିଳା ଜଣକ ପ୍ରାୟ ୧ ସପ୍ତାହ ଧରି ହସ୍ପିଟାଲରେ ରହିବା ପରେ ଆଖି ବୁଜିଥିଲେ।

Leave a Reply

Your email address will not be published. Required fields are marked *

Back to top button