ଅତ୍ୟଧିକ ତାତି ପାଇଁ ହାର୍ଟ ଆଟାକ୍ ବଢ଼ିବ

ନୂଆଦିଲ୍ଲୀ : ୨୦୨୩ ଅତ୍ୟଧିକ ଉତ୍ତାପ ବର୍ଷ ହେବାକୁ ଯାଉଛି। ଏଥିପ୍ରତି ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି। ଏହି ତାପମାତ୍ରା ବୃଦ୍ଧି ଜଳବାୟୁ ପରିବର୍ତ୍ତନର ଏକ ବିପଦଜନକ ସଙ୍କେତ। କାରଣ ଅଗଷ୍ଟରେ ସର୍ବାଧିକ ତାତି ଅନୁଭୁତ ହୋଇଥିବା ବେଳେ ଅକ୍ଟୋବରରେ ଏହା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଯଦି ବିଶ୍ୱ ତାପମାତ୍ରା ପୂର୍ବ-ଶିଳ୍ପ ସ୍ତର ଠାରୁ ଦୁଇ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଏ ତେବେ ପରିସ୍ଥିତି ଚିନ୍ତାଜନକ ହେବ। ଉତ୍ତର ଭାରତ ଓ ପୂର୍ବ ପାକିସ୍ତାନର ସିନ୍ଧୁ ନଦୀ ଉପତ୍ୟକାରେ ବସବାସ କରୁଥିବା ପ୍ରାୟ ୨୨୦ କୋଟି ଲୋକ ସମସ୍ୟାର ସମ୍ମୁଖୀନ ହେବେ। ଏପରିକି ହାର୍ଟଷ୍ଟ୍ରୋକ୍ସ ଓ ଆହର୍ଟ ଆଟାକ୍ ଭଳି ସ୍ୱାସ୍ଥ୍ୟ ସମସ୍ୟା ବଢିବାର ଆଶଙ୍କା ରହିଛି।

ଖବର ଅନୁଯାୟୀ ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ ପତ୍ରିକାରେ ଗବେଷଣାର ତଥ୍ୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ତାପମାତ୍ରାର ପରିବର୍ତ୍ତନ ଘଟିଲେ ଉତ୍ତର ଭାରତ, ପୂର୍ବ ପାକିସ୍ତାନ, ପୂର୍ବ ଚୀନ ଓ କିଛି ସାହାରା ଆଫ୍ରିକାର ଦେଶରେ ଅତ୍ୟଧିକ ତାପମାତ୍ରା ସହ ଆଦ୍ରତା ଅନୁଭୂତ ହେବ। ଅନୁସନ୍ଧାନକାରୀଙ୍କ ମତ ତାପମାତ୍ରା ବୃଦ୍ଧି ସହିତ ଶୁଷ୍କତା ସମସ୍ୟା ସୃଷ୍ଟି ହେବା ବିପଦଜନକ। କାରଣ ବାୟୁ ଅତ୍ୟଧିକ ଆଦ୍ରତାକୁ ଗ୍ରହଣ କରିପାରେ ନାହିଁ। ଯଦି ଲୋକମାନେ ଖରା ସାଙ୍ଗକୁ ଶୁଷ୍କତା ଅନୁଭବ କରିବେ ତେବେ ମାନବ ଶରୀରର ଝାଳ ଶୁଖିବା କ୍ଷମତା ବାଧାପ୍ରାପ୍ତ ହେବ। ଏଥିସହ ଫ୍ୟାନ୍, ଏସି ଓ କୁଲର୍ ଭଳି ଝାଳ ଶୁଖାଉଥିବା ବୈଦ୍ୟୁତିକ ଉପକରଣର କ୍ଷମତା ହ୍ରାସ ପାଇବ। ଏସବୁର ଅଭାବ ମଧ୍ୟ ପରିଲକ୍ଷିତ ହେବ। ଲୋକେ ଅସହ୍ୟ ତାତିର ଶିକାର ହେବେ।

ବିଶେଷ କରି ନିମ୍ନ କିମ୍ବା ମଧ୍ୟବିତ୍ତ ଆୟକାରୀ ଦେଶମାନଙ୍କ ଉପରେ ଅଧିକ ପ୍ରଭାବ ପଡ଼ିବ। ଲୋକମାନେ ଗରମରୁ ରକ୍ଷା ପାଇବା ପାଇଁ ବୈଦ୍ୟୁତିକ ଉପକରଣ କିଣିବାରେ ଅକ୍ଷମ ହେବେ। ଜଣେ ବ୍ୟକ୍ତି ଉତ୍ତାପ ଓ ଆର୍ଦ୍ରତାର ନିର୍ଦ୍ଦିଷ୍ଟ ମିଶ୍ରଣକୁ ସହ୍ୟ କରିପାରେ। ହେଲେ ସହିବା ସୀମା ଅତିକ୍ରମ ହେଲେ ସିଧାସଳଖ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବ। ଅତ୍ୟଧିକ ଗରମ କାରଣରୁ ହାର୍ଟଷ୍ଟ୍ରୋକ୍ସ ଓ ଆହର୍ଟ ଆଟାକ୍ ଭଳି ସ୍ୱାସ୍ଥ୍ୟ ସମସ୍ୟା ଆହୁରି ବଢିପାରେ ବୋଲି ଅନୁସନ୍ଧାନକାରୀମାନେ ଆକଳନ କରିଛନ୍ତି।

ରିପୋର୍ଟ ଅନୁସାରେ ଶିଳ୍ପ ବିପ୍ଳବ ଆରମ୍ଭରୁ କାର୍ବନ ଡାଇଅକ୍ସାଇଡ୍ ସ୍ତର ବୃଦ୍ଧି ପାଉଛି। ବିକଶିତ ଦେଶମାନଙ୍କ ଆତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଏହାର ମୁଖ୍ୟ କାରଣ। ବର୍ତ୍ତମାନ ବିଶ୍ୱ ତାପମାତ୍ରା ୧.୧୫ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇ ସାରିଛି। ଜଳବାୟୁ ବୈଜ୍ଞାନିକମାନଙ୍କୁ ନେଇ ଗଠିତ ଇଣ୍ଟରଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଜର୍ ଅନୁସାରେ ବିଂଶ ଶତାବ୍ଦୀର ଶେଷ ଭାଗରେ ବିଶ୍ୱ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ। ତେଣୁ ବିଶ୍ୱର ହାରାହାରି ତାପମାତ୍ରାକୁ ୨୦୧୯ ସ୍ତର ତୁଳନାରେ ୨୦୩୦ ସୁଦ୍ଧା ଅଧା ହ୍ରାସ ନକରିପାରିଲେ ଏହା ମାନବ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିବ।

Leave a Reply

Your email address will not be published. Required fields are marked *

Back to top button