ବିଧାନସଭାରେ ୨୮,୨୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପନ

ଭୁବନେଶ୍ଵର : ଚଳିତ ଆର୍ଥିକ ବର୍ଷ ପାଇଁ ୨୮୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବାଧିକ ୪୬୯୮ କୋଟି ଟଙ୍କା ଓ ପଞ୍ଚାୟତିରାଜ ବିଭାଗ ଲାଗି ୪୦୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିପରି ଗଣଶିକ୍ଷା ବିଭାଗ ୨୮୮୨ କୋଟି, ଆମ ଓଡ଼ିଶା ନବୀନ ଓଡ଼ିଶା ୧୩୦୨ କୋଟି, ମେଟ୍ରୋ ରେଳ ପ୍ରକଳ୍ପ ୨୧୦ କୋଟି ଓ ପରିବହନ ଯୋଜନା ଲକ୍ଷ୍ମୀ ପାଇଁ ୫୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଖବର ଅନୁଯାୟୀ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨୮୨୦୦କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ କରିଛନ୍ତି। ଅତିରିକ୍ତ ବଜେଟରେ ୨୮୬୪ କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ, ୨୦୧୦୦କୋଟି ଟଙ୍କା କାର୍ଯ୍ୟକ୍ରମ ଖର୍ଚ୍ଚବାବଦରେ ଆବଂଟିତ ହୋଇଥିବାବେଳେ ୪୬୬୪ କୋଟି ଟଙ୍କା ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଓ ୫୭୨ କୋଟି ଟଙ୍କା ରାଜ୍ୟ ସରକାରଙ୍କ ଦ୍ୱାରା ପଂଚାୟତ ଓ ପୌର ସଂସ୍ଥାକୁ ହସ୍ତାନ୍ତର ବାବଦରେ ଆବଂଟିତ ହୋଇଛି।

ଅତିରିକ୍ତ ବଜେଟରେ ୪୦୮୩କୋଟି ଟଙ୍କା ପଂଚାୟତିରାଜ ବିଭାଗ ପାଇଁ ବ୍ୟୟବରାଦ ହୋଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୨୮୮୨ କୋଟି ଟଙ୍କା, ଜଳସମ୍ପଦ ବିଭାଗକୁ ୨୪୦୭ କୋଟି ଟଙ୍କା, ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ୧୩୫୫ କୋଟି ଟଙ୍କା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୩୨୭ କୋଟି, ଓ ନଗର ଉନ୍ନୟନ ବିଭାଗ ପାଇଁ ୧୦୮୮କୋଟି ଟଙ୍କା, ଉଚ୍ଚଶିକ୍ଷା ପାଇଁ ୮୪୨କୋଟି, ଗ୍ରାମ୍ୟ ଉନ୍ନୟନ ୮୯୭ କୋଟି ଟଙ୍କା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଇଁ ୭୮୭ କୋଟି ଟଙ୍କା, ପରିବହନ ବିଭାଗ ୭୪୮ କୋଟି, ଓ ମିଶନ ଶକ୍ତି ବିଭାଗ ପାଇଁ ୭୮୩ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ରାଜ୍ୟ ସରକାରଙ୍କ ଅଧୀନରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ ନିମନ୍ତେ ଅତିରିକ୍ତ ପାଣ୍ଠିର ଆବଶ୍ୟକତା ରହିଛି। ପ୍ରଚଳିତ କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ଅତିରିକ୍ତ ବ୍ୟୟବରାଦ ହୋଇଛି। ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା ମଧ୍ୟ ଅତିରିକ୍ତ ବଜେଟରେ କରାଯାଇଛି। ସାଧାରଣ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ଆଖିରେଖି ଉପଲବ୍ଧ ସମ୍ବଳର ପୁନଃବିନିଯୋଗ ତଥା ବିଭିନ୍ନ ସୂତ୍ରରୁ ସହବନ୍ଧିତ ସମ୍ବଳ ପ୍ରାପ୍ତି ମାଧ୍ୟମରେ ଅତିରିକ୍ତ ବଜେଟ୍ ପାଇଁ ବ୍ୟୟବରାଦ କରାଯାଇଛି।

ବଜେଟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ୧୩୦୨କୋଟି ଟଙ୍କା, ଲକ୍ଷ୍ମୀ ଯୋଜନାରେ ୫୫୬କୋଟି, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ପାଇଁ ୧୧୦କୋଟି, ଓଡ଼ିଶା ମେଟ୍ରୋ ରେଳ ପରିବହନ ପାଇଁ ୨୧୦ କୋଟି, ବ୍ଲକସ୍ତରରେ ବସଷ୍ଟାଣ୍ଡ ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ୧୪ କୋଟି, ପଂଚାୟତିରାଜ ସଂସ୍ଥା ମାଧ୍ୟମରେ ସ୍କୁଲଗୁଡ଼ିକର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ୧୫୩ କୋଟି ଟଙ୍କା, ପଂଚାୟତକୁ ଆଇଟି ସଂଯୋଗୀକରଣ ପାଇଁ ୨୫୨ କୋଟି ଟଙ୍କା, ଲିଙ୍ଗଭିତ୍ତିକ ହିଂସା ପୀଡ଼ିତା ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ୩୮ କୋଟି ଟଙ୍କା, ବୟନିକା ଓ ସମ୍ବଲପୁରୀ ବସ୍ତ୍ରାଳୟକୁ ୱାର୍କିଂ କ୍ୟାପିଟାଲ ପାଇଁ ୨୦ କୋଟି ଟଙ୍କା ଲେଖାଏଁ ବ୍ୟୟବରାଦ ହୋଇଛି । ଯାଜପୁର ଓ କଳାହାଣ୍ଡିରେ ନୂଆ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୨୭ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ମଧୁବାବୁ ପେନସନ ଯୋଜନାରେ ୫୦୦ କୋଟି, ଭିନ୍ନକ୍ଷମ କଲ୍ୟାଣ ପାଇଁ ୨୧୪ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ସେହିପରି ମୋ ସ୍କୁଲ ଅଭିଯାନକୁ ୨୧୨ କୋଟି ଟଙ୍କା ଓ ଓଡ଼ିଶା ଆଦର୍ଶ ସ୍କୁଲ ପାଇଁ ୧୦୫.୫୪ କୋଟି ଟଙ୍କା, ବେସରକାରୀ ହାଇସ୍କୁଲ ପାଇଁ ୬୦୦କୋଟି, ସରକାରୀ ହାଇସ୍କୁଲ ପାଇଁ ୬୪ କୋଟି ଟଙ୍କା, ବିଶ୍ୱବିଦ୍ୟାଳୟ ଓ କଲେଜର ଭିତ୍ତିଭୂମି ବିକାଶ ପାଇଁ ୨୩୦ କୋଟି ଟଙ୍କା, ବେସରକାରୀ କଳେଜଗୁଡ଼ିକ ଜିଆଇଏ ବାବଦରେ ୩୦୮ କୋଟି ଓ ସାଧାରଣ ନିର୍ବାଚନ ପରିଚାଳନା ପାଇଁ ୧୯୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ସେହିପରି ୨୦୨୩ ଜୁଲାଇ ସୁଦ୍ଧା ରାଜ୍ୟର ମୋଟ ଋଣଭାର ୮୮୪୮୭ କୋଟି ଟଙ୍କା ଥିବାବେଳେ ମୁଣ୍ଡପିଛା ଋଣ ୧୯୧୭୧ଟଙ୍କା ଥିବା ଜଣାପଡ଼ିଛି। ରାଜ୍ୟର ମୋଟ ସାମଗ୍ରିକ ଘରୋଇ ଉତ୍ପାଦ (ଜିଡିପି)ର ୧୦.୦୩ ପ୍ରତିଶତ ଋଣ ରହିଛି। ତେବେ ରାଜ୍ୟ ସରକାର ଏ ଯାଏ ଖୋଲା ବଜାରରୁ ଋଣ କରି ନାହାନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଚଳିତ ଆର୍ଥିକ ବର୍ଷ ଅର୍ଥାତ ଅଗଷ୍ଟ ଯାଏ ନିଜସ୍ୱ ରାଜସ୍ୱ ସଂଗ୍ରହ ୪୧୨୩୧ କୋଟି ହୋଇଛି। ଯାହା ପୂର୍ବ ବର୍ଷ ତୁଳନାରେ ୧୨.୯ ପ୍ରତିଶତ ଅଧିକ। ସେହିପରି ନିଜସ୍ୱ ଟିକସ ସଂଗ୍ରହ ୨୦୧୩୧ କୋଟି ହୋଇଛି। ଯାହା ପୂର୍ବ ବର୍ଷ ତୁଳନାରେ ୧୪.୫ ପ୍ରତିଶତ ଅଧିକ। ନିଜସ୍ୱ ଅଣଟିକସ ରାଜସ୍ୱ ୨୧୧୦୦ କୋଟି ସଂଗ୍ରହ ହୋଇଛି। ଯାହାକି ପୂର୍ବ ବର୍ଷ ତୁଳନାରେ ଏହା ୧୧.୫ ପ୍ରତିଶତ ଅଧିକ। ଚଳିତ ଅଗଷ୍ଟ ଯାଏ ବଜେଟର ୨୯ ପ୍ରତିଶତ ଖର୍ଚ୍ଚ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button