ରାହୁଲ ପରେ ତେଜସ୍ଵୀଙ୍କ ବିରୋଧରେ ମାନହାନି ମାମଲା

ଅହମଦାବାଦ : ମୋଦୀ ସାଂଗିଆ ପ୍ରତି ଅପମାନ। ଏହି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ଯାଇଛି। ଜେଲ ଦଣ୍ଡ ରାୟକୁ ନେଇ ସେ ଗୁଜରାଟ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଏବେ ପାଳି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବଙ୍କର। ଗୁଜରାଟୀଙ୍କୁ ଠକ କହିଥିବାରୁ ଆଜି ଅହମଦାବାଦର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଛି। ଏହାର ପରବର୍ତ୍ତୀ ଶୁଣାଣି ମଇ ପହିଲାରେ ହେବ।
ଖବର ଅନୁଯାୟୀ ଗତ ମାର୍ଚ୍ଚ ମାସରେ ତେଜସ୍ୱୀ ଯାଦବ କହିଥିଲେ ଆଜି ଦେଶର ଯାହା ଅବସ୍ଥା ତାହା କେବଳ ଜଣେ ଗୁଜରାଟୀ ଠକଙ୍କ ପାଇଁ ହୋଇପାରେ। କାରଣ ତାଙ୍କୁ କ୍ଷମା କରିଦିଆଯିବ। ଏହି ଠକମାନେ ବ୍ୟାଙ୍କ ଟଙ୍କା, ଏଲଆଇସି ଟଙ୍କା ନେଇ ପଳାନ୍ତି। ଏଥିପାଇଁ କିଏ ଦାୟୀ ? ଏହି ବିଜେପି ଲୋକମାନେ ଏଭଳି ଖସି ପଳାଇଲେ ଆମେ କ’ଣ କରିବା ? ଅନେକ ଲୋକ ଅଛନ୍ତି ଯେଉଁମାନେ ଦୁର୍ନୀତି କରୁଛନ୍ତି। କିନ୍ତୁ ସେମାନଙ୍କ ବିରୋଧରେ ସିବିଆଇ ଓ ଇଡି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।
ତେଜସ୍ଵୀ ଏପରି କହିଥିବାରୁ ହରେଶ ମେହେତା ନାମକ ଜଣେ ବ୍ୟବସାୟୀ ଅହମଦାବାଦ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଟିଭିରେ ତେଜସ୍ଵୀଙ୍କ ବୟାନ ଦେଖିବା ପରେ ସେ ମାମଲା ରୁଜୁ କରିଥିବା କହିଛନ୍ତି। ହରେଶଙ୍କ ଅଭିଯୋଗ ପରେ ଧାରା ୪୯୯ ଓ ୫୦୦ ଅନୁଯାୟୀ ତେଜସ୍ଵୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।