ଅନୁଭବଙ୍କୁ ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟଙ୍କ ଅନୁମତି

କଟକ : ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ଆଜି ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି। ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପରିବାର ଅଦାଲତଙ୍କ ରାୟକୁ କୋର୍ଟ ଖାରଜ କରିଛନ୍ତି।

ଖବର ଅନୁଯାୟୀ ସାଂସଦ ଅନୁଭବ ଗୁରୁବାର ହାଇକୋର୍ଟରେ କହିଥିଲେ ବର୍ଷାଙ୍କ ସହିତ ତାଙ୍କର ବିବାହ କେବଳ କାଗଜ କଲମରେ ସୀମିତ। ବିବାହର ମୂଳ ଲକ୍ଷ୍ୟ ପୂରଣ ହୋଇପାରି ନଥିବା ବେଳେ ବୈବାହିକ ସଂପର୍କ ସେମାନଙ୍କ ମଧ୍ୟରେ ନାହିଁ। ପରିବାରକୁ ଆଗେଇ ନେବା ଓ ସନ୍ତାନସନ୍ତତି କରିବାରେ ବର୍ଷା ସହଯୋଗ କରୁ ନାହାନ୍ତି। ତାଙ୍କ ପରିବାର ଲୋକଙ୍କୁ ବର୍ଷା ଦୁର୍ବ୍ୟବହାର କରୁଥିବା ଅନୁଭବ ଦର୍ଶାଇଥିଲେ। ତେବେ କେଉଁ ଆଧାରରେ ହାଇକୋର୍ଟ ଅନୁଭବଙ୍କୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ତାହା ଲିଖିତ ଜଜ୍‌ମେଣ୍ଟ ଆସିବା ପରେ ଜଣାପଡ଼ିବ।

ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ମାସରେ ପରିବାର ଅଦାଲତ ଉଭୟ ଅନୁଭବ ମହାନ୍ତି ଓ ବର୍ଷାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ସ୍ୱାମୀ-ସ୍ତ୍ରୀ ଭାବେ ପୁଣି ଏକାଠି ରହିବାକୁ ବର୍ଷା କରିଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଥିଲେ। ପରିବାର ଅଦାଲତଙ୍କ ରାୟ ବିରୋଧରେ ଗତ ଅକ୍ଟୋବର ମାସରେ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button