ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ୧୭ରେ ଲୋକାର୍ପିତ : ପ୍ରଥମେ ମହାପ୍ରଭୁଙ୍କୁ ନିମନ୍ତ୍ରିଣ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ଜାନୁଆରି ୧୭ ତାରିଖରେ ଲୋକାର୍ପିତ ହେବ। ଏଥିପାଇଁ ଆଜି ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ପରିଚାଳଚନା କମିଟିର ୫ ଜଣ ପ୍ରତିନିଧି ଓ ବରିଷ୍ଠ ସେବାୟତ ପ୍ରମୁଖ ନିମନ୍ତ୍ରଣ କରିବାକୁ ଯାଇଥିଲେ। ଏହାକୁ ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ ହୋଇଛି। ପାଟ ପଟୁଆରରେ ଜଗନ୍ନାଥଙ୍କ ପାଖକୁ ଏହି ନିମନ୍ତ୍ରଣ ପତ୍ର ଯାଇଥିବା ବେଳେ ପରେ ପ୍ରଭୁ ନୃସିଂହ, ମା ବିମଳା, ମା ମଙ୍ଗଳା ଓ ଶେଷରେ ପଂଚୁ ପାଣ୍ଡବଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା।

ଖବର ଅନୁଯାୟୀ ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯିବ। ପରେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ପ୍ରାୟ ଶହେ ମନ୍ଦିରକୁ ନିମନ୍ତ୍ରଣପତ୍ର ଯିବ। ଯଜମାନ ଭାବେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୁତି ଦେବେ। ତେଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷ୍ଠା ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଦେଶ ବିଦେଶରେ ରହିଥିବା ଜଗନ୍ନାଥ ମନ୍ଦିର ଓ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯିବ। ଶ୍ରୀମନ୍ଦିର ସହ ଜଡ଼ିତ ନେପାଳ ରାଜାଙ୍କୁ କରାଯିବ ନିମନ୍ତ୍ରଣ। ନିମନ୍ତ୍ରଣପତ୍ର ସହ ଏକ ସ୍ୱତନ୍ତ୍ର କିଟ୍ ପ୍ରଦାନ କରାଯିବ। ନିମନ୍ତ୍ରଣପତ୍ର ସହ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ତିନୋଟି ଭାଷାରେ ବ୍ରୋଚରରେ ପରିକ୍ରମା ପ୍ରକଳ୍ପ ସଂପର୍କିତ ତଥ୍ୟ ରହିବ। ଏହାଛଡା ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ନିମନ୍ତ୍ରଣପତ୍ର ପଠାଯିବା ପାଇଁ ଜିଲ୍ଲାୱାରି ତାଲିକା ପ୍ରସ୍ତୁତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୭୪୬ଟି ଜଗନ୍ନାଥ ମନ୍ଦିର, ୧୧୧ଟି ଅନ୍ୟ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପଠାଯିବ ବୋଲି ଜଣାପଡିବ।

Leave a Reply

Your email address will not be published. Required fields are marked *

Back to top button