ବିଜେଡି ସରକାର ବିଜ୍ଞାପନରେ ସୀମିତ : ସମୀର ମହାନ୍ତି

ଭୁବନେଶ୍ୱର : ସ୍ୱଚ୍ଛ ପାଣି ଓ ସ୍ୱଚ୍ଛ ବାୟୁ ଜଣେ ନାଗରିକର ମୌଳିକ ଅଧିକାର। ହେଲେ ଏହି ଅଧିକାରୁ ନାଗରିକମାନଙ୍କୁ ରାଜ୍ୟ ସରକାର ବଂଚିତ କରିଛନ୍ତି। ସ୍ମାର୍ଟ ସିଟି ରାଉରକେଲାରେ ଝାଡାବାନ୍ତି ଯୋଗୁ ଲୋକେ ମୃତ୍ୟୁବରଣ କରୁଥିବାବେଳେ ଭୁବନେଶ୍ୱରରେ ଦୁର୍ଗନ୍ଧମୟ ପରିବେଶ ପାଇଁ ଚର୍ମ, କର୍କଟ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହି ଅଭିଯୋଗ କରିଛନ୍ତି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି।

ଖବର ଅନୁଯାୟୀ ଶ୍ରୀ ମହାନ୍ତି କହିଛନ୍ତି ସ୍ମାର୍ଟ ସିଟି ଭୁବନେଶ୍ୱର ଓ ରାଉରକେଲାରେ ସ୍ୱଚ୍ଛ ପାଣି, ସ୍ୱଚ୍ଛ ବାୟୁ ଓ ସ୍ୱଚ୍ଛ ପରିବେଶ ବିପର୍ଯ୍ୟସ୍ତ। ଦଳମତ ନିର୍ବିଶେଷରେ ଭୁବନେଶ୍ୱର ବସ୍ତିବାସିନ୍ଦା ତଥା ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆଜିକୁ ଦୀର୍ଘ ୨୪ଦିନ ଧରି ଆମ ଦଳର କାର୍ଯ୍ୟକର୍ତ୍ତାମାନେ ଧାରଣାରେ ବସିଛନ୍ତି। କିନ୍ତୁ ରାଜ୍ୟ ସରକାର ତଥା ବିଏମ୍‌ସିର କୌଣସି ତତ୍ପରତା ଦେଖାଯାଉନାହିଁ। ନିଜର ଅପାରଗତାକୁ ଘୋଡାଇବା ପାଇଁ ବିଜୁ ଜନତା ଦଳ ବିଭିନ୍ନ ପ୍ରକାର ମିଛ ଗପ କହୁଛି ବୋଲି ସେ କହିଛନ୍ତି।

ଶ୍ରୀ ମହାନ୍ତି କହିଲେ ରାଉରକେଲା ହଇଜା ମୃତ୍ୟୁବରଣ ତଥ୍ୟକୁ ଲୁଚାଇବା ଗଣତନ୍ତ୍ର ପାଇଁ ବିପଦ। ରାଜ୍ୟର ଜନ ସାଧାରଣଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ପ୍ରତି ସରକାରଙ୍କର ଆନ୍ତରିକତା ନାହିଁ। ୨୩ ବର୍ଷର ବିଜେଡି ସରକାର ନିଜକୁ କେବଳ ବିଜ୍ଞାପନରେ ସୀମିତ ରଖି ରାଜ୍ୟବାସିଙ୍କୁ ବାସ୍ତବରେ ଟୋପାଏ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛନ୍ତି। ରାଜ୍ୟ ସରକାର ଭୋଟ ପାଇଁ ପ୍ରଚାର ସର୍ବସ୍ୱ ନହୋଇ ତୁରନ୍ତ ଜନତାଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରନ୍ତୁ। ଦୁଇ ସ୍ମାର୍ଟ ସିଟିର ସୁବ୍ୟବସ୍ଥା କରିବା ସହ ଜନତାଙ୍କ ଦୁଃଖକୁ ବୁଝନ୍ତୁ ନହେଲେ ବିଜେଡିକୁ ଆଗାମୀ ଦିନରେ ଲୋକେ ଉଚିତ ଜବାବ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button