ଦୁର୍ନୀତି ମାମଲାରେ ତାମିଲନାଡୁ ଶିକ୍ଷାମନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍‌

ଚେନ୍ନାଇ : ଡିଏମ୍‌କେ ନେତା ତଥା ତାମିଲନାଡୁର ଶିକ୍ଷାମନ୍ତ୍ରୀ କେ. ପୋନମୁଡ଼ୀଙ୍କୁ ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଆଜି ମାଡ୍ରାସ୍‌ ହାଇକୋର୍ଟ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ କରିଛନ୍ତି ୫୦ ଲକ୍ଷ ଟଙ୍କା ଜରିମାନା।

ଖବର ଅନୁଯାୟୀ ୨୦୦୨ରେ ଦୁର୍ନୀତି ନିବାରଣ ଓ ଦୁର୍ନୀତି ନିରୋଧୀ ନିର୍ଦେଶାଳୟ ପୋନମୁଡ଼ୀ ଓ ପତ୍ନୀଙ୍କ ନାଁରେ ମାମଲା ରୁଜୁ କରିଥି‌ଲା। ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଏଆଇଏଡିଏମ୍‌କେ ସରକାର କ୍ଷମତାରେ ଥିବା ବେଳେ ଦୁହେଁ ୧.୪ କୋଟି ଟଙ୍କା ଅସାଧୁ ଉପାୟରେ ଉପାର୍ଜନ କରିଥିବା ଜଣାପଡ଼ିଥିଲା। ସେତେବେଳେ ଦୁହେଁ ଉପାର୍ଜିତ ଅର୍ଥର ଉତ୍ସ କହିପାରି ନ ଥିଲେ।

ସେହିପରି ଡାକ୍ତରୀ ରେକର୍ଡ ଅନୁସାରେ ମନ୍ତ୍ରୀ ପୋନମୁଡ଼ୀଙ୍କୁ ୭୩ ବର୍ଷ ଓ ପତ୍ନୀଙ୍କୁ ୬୦ ବର୍ଷ। ମାମଲା ବହୁତ ପୁରୁଣା ହୋଇଥିବାରୁ ସେମାନଙ୍କ ବୟସ ପ୍ରତି ଧ୍ୟାନ ଦେଇ ସର୍ବନିମ୍ନ ଦଣ୍ଡ ବିଧାନ କରିବା ଲାଗି ଦୁହେଁ ଅଦାଲତଙ୍କୁ ଅନୁରୋଧ କରିଥିଲେ। ତେଣୁ ଅଦାଲତ ମନ୍ତ୍ରୀ କେ. ପୋନମୁଡ଼ୀଙ୍କୁ ୩ ବର୍ଷ ପାଇଁ ଶ୍ରମରହିତ କାରାଦଣ୍ଡ ସହିତ ୫୦ ଲକ୍ଷ ଓ ପତ୍ନୀଙ୍କ ଉପରେ ସମାନ ପରିମାଣରର ଜରିମାନା କରିଛନ୍ତି।
ଏହାଛଡ଼ା ଉଚ୍ଚତର ଅଦାଲତରେ ଆବେଦନ କରିବା ଲାଗି ଅନୁମତି ଦେଇ ମାଡ୍ରାସ୍‌ ହାଇକୋର୍ଟ ଉପରୋକ୍ତ ଦଣ୍ଡାଦେଶକୁ ୩୦ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button