ରାଜଧାନୀରେ ଛୁଆ ଅପହରଣ : ନାଟକ ରଚିଥିଲେ ମହିଳାଙ୍କ ଦୁଇ ସ୍ୱାମୀ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରେ ଛୁଆ ଅପହରଣ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି। ଏହି ଅପହରଣର ନାଟକ ରଚିଥିଲେ ମହିଳାଙ୍କ ଦୁଇ ସ୍ଵାମୀ।

ଖବର ଅନୁଯାୟୀ ଢେଙ୍କାନାଳ ଭୁବନର ବିଷ୍ଣୁ ପୃଷ୍ଟି ଏକ ସ’ ମିଲ୍‌ରେ କାମ କରନ୍ତି। ଭୁବନେଶ୍ୱର ଅନ୍ଧାରୁଆର ଶାନ୍ତିଲତା ମହାରଣାଙ୍କୁ ସେ ବିବାହ କରିଥିଲେ। ବିବାହର ୧୦ବର୍ଷ ପରେ ବିଷ୍ଣୁ କୁସଙ୍ଗରେ ପଡ଼ି ନିଶା ସେବନ କରିବା ସହିତ ଶାନ୍ତିଲତାଙ୍କୁ ଦେଉଥିଲେ ନିର୍ଯାତନା। ପ୍ରତିବାଦ କଲେ ମାଡ। ନିର୍ଯାତନା ଅସହ୍ୟ ହେବାରୁ ଶାନ୍ତିଲତା ପଳାଇ ଆସିଥିଲେ। ଏହି ସମୟ ମଧ୍ୟରେ ଢେଙ୍କାନାଳ ମାର୍ଥାପୁର ଅଞ୍ଚଳର ସୁବ୍ରତ ସେଠୀଙ୍କ ସହିତ ଗଢି ଉଠିଥିଲା ସମ୍ପର୍କ। ସୁବ୍ରତ ଓ ଶାନ୍ତିଲତା ଭୁବନେଶ୍ୱର ପଳାଇ ଆସି ଦୁଇବର୍ଷ ହେଲା ପଟିଆ ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ବିବାହ କରିନଥିଲେ ମଧ୍ୟ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ପରି ଚଳୁଥିଲେ। ଦୁହିଁଙ୍କର ଅଛି ୧୧ ମାସର ଶିଶୁ ପୁତ୍ର। ହେଲେ ସୁବ୍ରତ ଓ ଶାନ୍ତିଲତାଙ୍କ ସମ୍ପର୍କରେ କିଛିଦିନ ତଳେ ଫାଟ ସୃଷ୍ଟି ହେବାରୁ ସୁବ୍ରତ ଦୂରେଇ ଯିବାକୁ ଚାହୁଁଥିଲେ। କିନ୍ତୁ ଶାନ୍ତିଲତା ତାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ।

ଏଭଳି ପରିସ୍ଥିତିରେ ଶାନ୍ତିଲତାଙ୍କ ପ୍ରଥମ ସ୍ୱାମୀ ବିଷ୍ଣୁଙ୍କ ସଂସ୍ପର୍ଶରେ ଆସିଥିଲେ ସୁବ୍ରତ। କଥାବାର୍ତ୍ତା ସମୟରେ ବିଷ୍ଣୁ ମନର ଦୁଃଖ କହିବା ସହିତ ଶାନ୍ତିଲତା ସବୁ ପୁରୁଣା କଥା ଭୁଲି ତାଙ୍କ ପାଖକୁ ଫେରିଆସନ୍ତୁ ବୋଲି ଚାହିଁଥିଲେ ବିଷ୍ଣୁ। ହେଲେ ଏଥିରେ ପ୍ରତିବନ୍ଧକ ୧୧ ମାସର ଶିଶୁ ପୁତ୍ର। ପିଲାଟି ଥିବା ପର୍ଯ୍ୟନ୍ତ ଶାନ୍ତିଲତା ସୁବ୍ରତଙ୍କୁ ଛାଡି ବିଷ୍ଣୁଙ୍କ ପାଖକୁ ଫେରିବା କଷ୍ଟକର ବୋଲି ସେମାନେ ବିଚାର କରିଥିଲେ। ତେଣୁ ଛୁଆକୁ ରାସ୍ତାରୁ ହଟାଇବା ପାଇଁ ୧୫ ଦିନ ତଳେ ସୁବ୍ରତ ଓ ବିଷ୍ଣୁ ଯୋଜନା କରିଥିଲେ। ସେହି ଅନୁସାରେ ସୁବ୍ରତ ଛୁଆକୁ ଧରି ଘରୁ ବାହାରିବେ ବିଷ୍ଣୁ ଛୁଆକୁ କାର୍‌ରେ ଅପହରଣ କରିନେବେ। ଏଥିରେ ଶାନ୍ତିଲତା ଭାଙ୍ଗି ପଡ଼ିବା ସହ ସୁବ୍ରତ ପ୍ରତି ତାଙ୍କର ଘୃଣା ଭାବ ସୃଷ୍ଟି ହେବ। ଯାହାଫଳରେ ସେ ବିଷ୍ଣୁଙ୍କ ପାଖକୁ ଫେରିଯିବେ। କେବେଳ ସେତିକି ନୁହେଁ ଅପହରଣ ପରେ ଛୁଆକୁ କିଏ ନେବ ତାହା ମଧ୍ୟ ସ୍ଥିର ହୋଇଥିଲା।

ମଙ୍ଗଳବାର ମଧ୍ୟାହ୍ନରେ ଶାନ୍ତିଲତା ଘରେ ରୋଷେଇ କରୁଥିବା ବେଳେ ସୁବ୍ରତ ଛୁଆକୁ ବୁଲାଇବା ବାହାନାରେ ବାହାରକୁ ଆଣି ବିଷ୍ଣୁଙ୍କୁ ଦେଇଥିଲେ। ଏହାର କିଛି ସମୟ ପରେ ସୁବ୍ରତ ଶାନ୍ତିଲତାଙ୍କ ପାଖରେ ପହଞ୍ଚି ପୁଅ ଅପହରଣ କଥା କହିଥିଲେ। ସେ ବିଚଳିତ ହେବାରୁ ୧୧୨କୁ ଫୋନ୍‌ କରି ଅପହରଣ ବିଷୟ ଜଣାଇଥିଲେ ସୁବ୍ରତ। ମଞ୍ଚେଶ୍ୱର ପୋଲିସ ପହଞ୍ଚି ଶାନ୍ତିଲତାଙ୍କ ବୟାନ୍‌ ରେକର୍ଡ କରିବା ପରେ ସୁବ୍ରତକୁ ପଚରାଉଚରା କରିଥିଲା। କିନ୍ତୁ ତା’ କଥାରେ ତାଳମେଳ ନରହିବାରୁ ପୋଲିସ ସନ୍ଦେହରେ ବାରମ୍ବାର ଜେରା କରିବାରୁ ସତ ପଦାକୁ ଆସିଥିଲା। ଏହାକୁ ଆଧାରକରି ପୋଲିସ ବିଷ୍ଣୁଙ୍କ ପାଖରେ ପହଞ୍ଚି ଶିଶୁକୁ ଶରତ ମହାନ୍ତିଙ୍କଠାରୁ ଉଦ୍ଧାର କରିଥିଲା। ଅପହରଣରେ ବିଷ୍ଣୁଙ୍କ ବନ୍ଧୁ ଶରତ ଓ ବ୍ରଜ କିଶୋର ନାଥ ସହଯୋଗ କରିଥିବାରୁ ପୋଲିସ ସୁବ୍ରତଙ୍କ ସମେତ ବିଷ୍ଣୁ, ଶରତ ଓ ବ୍ରଜଙ୍କୁ ଅଟକ ରଖିଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button