ଇଣ୍ଡିଆ ମେଂଟଭୁକ୍ତ ଦଳର ଦେଶବ୍ୟାପି ପ୍ରତିବାଦକୁ ଓଡ଼ିଶାରେ ସଫଳ କରିବାକୁ ଆହ୍ୱାନ

ଭୁବନେଶ୍ୱର : ସଂସଦରୁ ବିରୋଧି ଦଳମାନଙ୍କର ୧୪୩ ଜଣ ସାଂସଦକୁ ନିଲମ୍ବନ ବିରୋଧିରେ ଡିସେମ୍ବର ୨୨ ତାରିଖରେ ଆହୁତ ଦେଶବ୍ୟାପି ପ୍ରତିବାଦ ଦିବସକୁ ଓଡ଼ିଶାରେ ସଫଳ କରିବାପାଇଁ ଇଣ୍ଡିଆମେଂଟଭୁକ୍ତ ଓଡ଼ିଶାର ବିରୋଧି ରାଜନୈତିକ ଦଳମାନେ ଆହ୍ୱାନ ଦେଇଛନ୍ତି।

ଖବର ଅନୁଯାୟୀ ଆଜି ଭୁବନେଶ୍ୱର ସିପିଆଇ (ଏମ) ରାଜ୍ୟ କାର୍ଯ୍ୟାଳୟରେ ବିରୋଧିଦଳ ମାନଙ୍କର ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଇଣ୍ଡିଆମେଂଟ ଭୁକ୍ତ ଓଡ଼ିଶାର ରାଜନୈତିକ ଦଳମାନଙ୍କର ରାଜ୍ୟ ନେତୃବୃନ୍ଦ କହିଛନ୍ତି ଭାରତୀୟ ସମ୍ବିଧାନରେ ସଂସଦୀୟ ଗଣତନ୍ତ୍ରର ସର୍ବୋଚ୍ଚ ଅନୁଷ୍ଠାନ ହେଉଛି ସଂସଦ। ସଂସଦରେ ବିରୋଧି ସାଂସଦମାନେ ସାମ୍ବିଧାନିକ ବ୍ୟବସ୍ଥାର ସୁରକ୍ଷା ପାଇଁ ମୁହଁ ଖୋଲିବାରୁ ସେମାନଙ୍କୁ ଗଣ ନିଲମ୍ବନ କରାଗଲା। ଶାସକ ଦଳର ହାତବାରିସି ହୋଇ ରାଜ୍ୟସଭା ଅଧ୍ୟକ୍ଷ ଲୋକସଭା ବାଚସ୍ପତି ଏହି ଅଗଣତାନ୍ତ୍ରିକ କାର୍ଯ୍ୟ କରିଛନ୍ତି। ସଂସଦୀୟ ଆଲୋଚନାରୁ ସାଂସଦକୁ ନିଲମ୍ବନ କରି ଦେଶର ନିର୍ବାଚନ ଆୟୁକ୍ତ ନିଯୁକ୍ତି ବ୍ୟବସ୍ଥାର ସଂଶୋଧନ ବିଲ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଅନୁମୋଦନ ପାଇଁ ଏକଛତ୍ର ବାଦୀ ମୋଦି ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟସଭା ଅଧ୍ୟକ୍ଷ ଓ ଲୋକସଭା ବାଚସ୍ପତି ବର୍ତ୍ତମାନ ସୁଦ୍ଧା ୧୪୩ ଜଣ ସାଂସଦକୁ ନିଲମ୍ବନ କରି ବିରୋଧି ଦଳ ଶୂନ୍ୟ ସଂସଦ ଚଳାଇବାର କଳଙ୍କିତ ଅଧ୍ୟାୟ ଆରମ୍ଭ କରିଛନ୍ତି। ଏହା ଦ୍ୱାରା ସଂସଦୀୟ ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଏହା ବିରୋଧରେ ଓଡ଼ିଶାର ରାଜଧାନୀ ସମେତ ରାଜ୍ୟବ୍ୟାପି ଆସନ୍ତା କାଲି ଧାରଣା, ବିକ୍ଷୋଭ, ସଭା ଓ ପଟୁଆର ସଂଗଠିତ କରି ପ୍ରତିବାଦ ଆନ୍ଦୋଳନ କରାଯିବାପାଇଁ ନିଷ୍ପତ୍ତି ହୋଇଛି।

ଆଜିର ମିଳିତ ବୈଠକରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ (ଏମ), ସିପିଆଇଏମଏଲ (ଲିବେରେସନ), ଅଲଇଣ୍ଡିଆ ଫରୱାର୍ଡ ବ୍ଲକ, ଆମଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଆରଜେଡି, ଏନସିପି, ସମତାକ୍ରାନ୍ତି ଦଳ, ଜେଡିୟୁ, ବିଏସ୍ପି, ସିପିଆଇ ଏମଏଲ (ରେଡଷ୍ଟାର), ତୃଣମୂଳ କଂଗ୍ରେସ, ଜେଏମଏମ, ଆରପିଆଇ ଓ ସମୃଦ୍ଧି ଓଡ଼ିଶା ଆଦି ଦଳର ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଯୋଗଦେଇଥିଲେ। ଜିଲ୍ଲାସ୍ତରରେ ତୁରନ୍ତ ମିଳିତ ବୈଠକ ଆହ୍ୱାନ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଇଣ୍ଡିଆ ଅର୍ନ୍ତଭୁକ୍ତ ଦଳମାନଙ୍କର ରାଜ୍ୟ ନେତୃବୃନ୍ଦ ନିବେଦନ କରିଛନ୍ତି।

ବୈଠକ ନିଷ୍ପତ୍ତି ସମ୍ପର୍କରେ ସର୍ବଶ୍ରୀ ପ୍ରସାଦ ହରିଚନ୍ଦନ, ରାମକୃଷ୍ଣ ପଣ୍ଡା, ଅଳିକିଶୋର ପଟ୍ଟନାୟକ, ଅଭୟ ସାହୁ, ରବି ବେହେରା, ଜ୍ୟୋତିରଞ୍ଜନ ମହାପାତ୍ର, ବିକ୍ରମ ସ୍ୱାଇଁ, ପ୍ରମିଳା, ମହେନ୍ଦ୍ର ପରିଡ଼ା, ସୌମ୍ୟରଞ୍ଜନ ସ୍ୱାଇଁ, ହେମନ୍ତ କୁମାର, ଆଶିଷ କାନୁନଗୋ, ଦୁଷ୍ମନ୍ତ କୁମାର ଦାସ, ସୁରେଶ ପାଣିଗ୍ରାହୀ, ବଂଶୀଧର ପରିଡ଼ା, ପ୍ରଭାସ ସାମନ୍ତରାୟ, ଚିତରଞ୍ଜନ ମହାନ୍ତି, ମଧୁସୂଦନ ଯାଦବ, ନନ୍ଦନ ପାଲ, ଜତିଷ ମହାନ୍ତି, ଶିବାଜୀ ମୌଲିକ ଓ ସେକ ଅବଦୁଲ ୱାଲି ପ୍ରମୁଖ ଏକ ମିଳିତ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button