ଆତଙ୍କବାଦ କାର୍ଯ୍ୟକଳାପରେ ଗଣାଯିବ ଜାଲ ନୋଟ୍ କାରବାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ନୂଆ ଅପରାଧିକ ଆଇନରେ ଆତଙ୍କବାଦୀ କାର୍ଯ୍ୟର ଆଇନଗତ ସଂଜ୍ଞାକୁ ସଂଶୋଧନ କରିଛନ୍ତି। ନୂଆ ଅପରାଧିକ ଆଇନରେ ନକଲି ନୋଟ୍ କାରବାର, ସରକାରଙ୍କୁ ଧମକ ଦେବା ପାଇଁ ଅପହରଣ କରିବା, କାହାକୁ ଆହତ କରିବା ଓ ତାଙ୍କ ମୃତ୍ୟୁ ଘଟାଇବା ମଧ୍ୟ ଆତଙ୍କବାଦ ଶ୍ରେଣୀରେ ରହିବ। ଏଥିସହିତ ନିଷ୍ଠୁରତା ବା କ୍ରୁରତାର ପୁନଃବ୍ୟାଖ୍ୟା କରାଯାଇ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବାକୁ ଅନ୍ତର୍ଭୁକ୍ତ କରାଯାଇଛି।

ଖବର ଅନୁଯାୟୀ କେନ୍ଦ୍ର ସରକାର ଭାରତୀୟ ନ୍ୟାୟ ସଂହିତା ବା ବିଏନ୍ଏସରେ ଦୁଇଟି ନୂଆ ଧାରା ଯୋଡ଼ିଛନ୍ତି। ଧାରା-୮୬ରେ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟକୁ ନଷ୍ଟ କରିବା ପାଇଁ “ନିଷ୍ଠୁରତା”କୁ ବ୍ୟାଖ୍ୟା କରାଯାଇଛି। ବିଲର ପୂର୍ବ ସଂସ୍କରଣରେ ଧାରା ୮୫ରେ ପତ୍ନୀଙ୍କ ପ୍ରତି ଅତ୍ୟାଚାର ପାଇଁ ଦୋଷୀ ସାବ୍ୟସ୍ତ ସ୍ୱାମୀ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ଥିଲା। କିନ୍ତୁ ନିଷ୍ଠୁର ଆଚରଣକୁ ବ୍ୟାଖ୍ୟା କରାଯାଇନଥିଲା। ବର୍ତ୍ତମାନ ଏହାକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଏହି ସଂଜ୍ଞାରେ ମହିଳାଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଏହି ବିଲରେ ଯୌନ ନିର୍ଯାତନାର ଶିକାର ମହିଳାଙ୍କ ବିନା ସମ୍ମତିରେ ଅଦାଲତ ପ୍ରକ୍ରିୟା ମାଧ୍ୟମରେ ନିଜର ପରିଚୟ ପ୍ରକାଶ କରିବା ପାଇଁ ୨ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି।

Leave a Reply

Your email address will not be published. Required fields are marked *

Back to top button