ବି.ଏସ୍.କେ.ୱାଇର କଳେବର ବୃଦ୍ଧି : ସହଭାଗୀ ହେଲେ ୮୧୬ ଘରୋଇ ସୁପର ସ୍ପେସିଆଲିଟି ହସ୍ପିଟାଲ

ଭୁବନେଶ୍ୱର : ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦିଗରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ )ଅଭୂତପୂର୍ବ ସଫଳତା ହାସଲ କରିଛି। ଏହି ଯୋଜନାରେ ସହଭାଗୀ ହସ୍ପିଟାଲଙ୍କ ସଂଖ୍ୟା ଏବଂ ଚିକିତ୍ସା ବାବଦ ବିନିଯୋଗ ଅର୍ଥରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଡି ବୃନ୍ଦାଙ୍କ ଆଭ୍ୟନ୍ତରୀଣ ସମୀକ୍ଷା ବୈଠକରୁ ଏହା ଜଣାପଡିଛି।

ସୋସାଇଟିର ସଭାଗୃହ ଠାରେ ଅନୁଷ୍ଠିତ ଏହି ବୈଠକରେ ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର ଆଲୋଚନା ନିମନ୍ତେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ମୁଖ୍ୟତଃ ଅନୁବନ୍ଧିତ ହସ୍ପିଟାଲମାନେ ଦେଉଥିବା ବିଲର ସଠିକ ଯାଞ୍ଚ ଓ ପୈଠ, ମୋ ସରକାର ଏବଂ ଅନନ୍ୟ ସୂତ୍ରରୁ ମିଳୁଥିବା ଆପତ୍ତି ଅଭିଯୋଗର ଆଶୁ ସମାଧାନ, କ୍ଷେତ୍ରସ୍ତରରେ ସ୍ୱାସ୍ଥ୍ୟମିତ୍ରମାନଙ୍କର କାର୍ଯ୍ୟଦକ୍ଷତା ଆଦି ବିଷୟ ଆଲୋଚନା ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଡାକ୍ତର ବୃନ୍ଦା ଅନୁବନ୍ଧିତ ହସ୍ପିଟାଲମାନଙ୍କର ନିୟମିତ ସମୀକ୍ଷା ପାଇଁ ନୋଡ଼ାଲ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷତଃ ଓଡ଼ିଶା ବାହାର ରାଜ୍ୟର ଅନୁବନ୍ଧିତ ହସ୍ପିଟାଲମାନଙ୍କରେ ଯେପରି କାର୍ଡଧାରୀମାନଙ୍କର ଚିକିତ୍ସା ସହଜଲବ୍ଧ ଓ ସୁଗମ ହେବ ସେଥିପ୍ରତି ଦୃଷ୍ଟି ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ମୋ ସରକାର ଏବଂ ଅନ୍ୟାନ୍ୟ ସୁତ୍ରରୁ ମିଳୁଥିବା ବିଭିନ୍ନ ଆପତ୍ତି ଅଭିଯୋଗଗୁଡିକର ସମାୟନୁବନ୍ଧିତ ସମାଧାନ ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ ।

ସମୀକ୍ଷାରୁ ଜଣାପଡ଼ିଛି ଚଳିତ ବର୍ଷ ଡିସେମ୍ବର ୧୫ ସୁଦ୍ଧା ୮୧୬ଟି ସୁପରସ୍ପେସିଆଲିଟି ଘରୋଇ ହସ୍ପିଟାଲ ବି.ଏସ୍.କେ.ୱାଇ ଅନୁବନ୍ଧିତ ହୋଇଛନ୍ତି । ଗତ ବର୍ଷ ଉକ୍ତ ସମୟ ତୁଳନାରେ ଏହା ୪୩.୪୦ ପ୍ରତିଶତ ଅଧିକ । ଏହାସହ ପ୍ରାୟ ୮୫୩୦ ସରକାରୀ ହସ୍ପିଟାଲ ରୋଗୀମାନଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବାକୁ ଦିନ ରାତି ପ୍ରଚେଷ୍ଟା ଜାରି ରଖିଛନ୍ତି । ୮୧୬ ଟି ଘରୋଇ ହସ୍ପିଟାଲ ମଧ୍ୟରୁ ୧୬୦ ଟି ଆନ୍ଧ୍ରପ୍ରଦେଶ, ଆସାମ, ତେଲେଙ୍ଗାନା, କର୍ଣ୍ଣାଟକ, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗଳା, ଛତିଶଗଡ, ଝାଡଖଣ୍ଡ, ପଞ୍ଜାବ, ହରିୟାନା, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ୧୬ ଟି ରାଜ୍ୟରେ ଅବସ୍ଥିତ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୬୫୬ ଟି ଘରୋଇ ହସ୍ପିଟାଲ ଗରିବ ଲୋକଙ୍କୁ ଉଚ୍ଚମାନର ଚିକିତ୍ସା ଯୋଗାଇବା ନିମନ୍ତେ ରାଜ୍ୟ ସରକାରଙ୍କ ସହଭାଗୀ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button