ଏଡିଆର୍ ରିପୋର୍ଟ : ବିଜେଡିର ଚାନ୍ଦା ବାବଦ ତଥ୍ୟ ନାହିଁ

ଭୁବନେଶ୍ଵର : ୨୦୨୧-୨୨ ବର୍ଷର ୨୬ଟି ଆଞ୍ଚଳିକ ଦଳଙ୍କୁ ୧୮୯ କୋଟି ଟଙ୍କା ଚାନ୍ଦା ମିଳିଛି। ସେଥିରୁ ୮୫ ପ୍ରତିଶତ ଚାନ୍ଦା ୫ଟି ଦଳକୁ ଯାଇଥିବା ବେଳେ ଏହି ସମୟରେ ବିଜୁ ଜନତା ଦଳ ଚାନ୍ଦା ପାଇନଥିବା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ବା ଏଡିଆର ଦର୍ଶାଇଛି। କୁହାଯାଇଛି ୫୪ ଆଞ୍ଚଳିକ ଦଳ ମଧ୍ୟରୁ ୩୩ଟି ଦଳ ଉପରେ ତଥ୍ୟ ଦିଆଯାଇଛି। ୧୯ ଦଳ ସେମାନଙ୍କ ଚାନ୍ଦା ବାବଦ ଆୟର ତଥ୍ୟ ସଠିକ ସମୟରେ ଦାଖଲ କରିଥିବା ବେଳେ ୧୪ ଦଳ ବିଳମ୍ବରେ ଦେଇଛନ୍ତି।

ଏଡିଆର୍ ରିପୋର୍ଟ ଅନୁୟାୟୀ ଟିଆରଏସକୁ ୨୦୨୧-୨୨ ଆର୍ଥିକ ବର୍ଷରେ ୪୦.୯୦ କୋଟି ଟଙ୍କା ଅନୁଦାନ ମିଳିଛି। ସେହିପରି ଆମ୍ ଆଦମୀ ପାର୍ଟିକୁ ୩୮.୨୪ କୋଟି ଟଙ୍କା, ଜେଡିୟୁକୁ ୩୩.୨୫ କୋଟି, ସମାଜବାଦୀ ପାର୍ଟିକୁ ୨୯.୭୯ କୋଟି ଓ ୱାଇଏସଆର କଂଗ୍ରେସକୁ ୨୦ କୋଟି ଟଙ୍କା ଅନୁଦାନ ମିଳିଛି। ହେଲେ ଆଞ୍ଚଳିକ ଦଳ ବିଜେଡି ଅନୁଦାନ ନେଇ କୌଣସି ତଥ୍ୟ ଦେଇନି। ତେଣୁ ବିଜେଡିକୁ ୨୦୨୧-୨୨ ବର୍ଷରେ କୌଣସି ଚାନ୍ଦା ମିଳିନି। ଏଥିସହ ଏଆଇଏଡିଏମକେ, ଏନଡିପିପି, ଏସଡିଏଫ, ଏଆଇଏଫବି, ପିଏମକେ ଓ ଜେକେଏନସି ମଧ୍ୟ ଚାନ୍ଦା ପାଇନଥିବା ଏଡିଆର ରିପୋର୍ଟ ଦର୍ଶାଇଛି। ହେଲେ ପୂର୍ବ ଏଡିଆର ରିପୋର୍ଟରେ ବିଜେଡି ଦେଶର ଦ୍ୱିତୀୟ ଆଞ୍ଚଳିକ ଧନୀ ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ବୋଲି ତଥ୍ୟ ଦିଆଯାଇଥିଲା।

ଅନ୍ୟପକ୍ଷରେ ଏହି ଚାନ୍ଦାକୁ ନେଇ ଶାସକ ଦଳ ବିଜେଡିକୁ ବିରୋଧୀ ବିଜେପି ଓ କଂଗ୍ରେସ ଘେରିଛନ୍ତି। ବିଜେପି ବିଧାୟକ ବୁଧାନ ମୁର୍ମୁ ଅଭିଯୋଗ କରିଛନ୍ତି ବିଜେଡି ପାଖରେ ବହୁତ ଟଙ୍କା ଅଛି। ଯେହେତୁ ପ୍ରକୃତ ଉତ୍ସରୁ ଟଙ୍କା ଆସିନି ଆଉ ଏହା ଠିକ୍ ଅର୍ଥ ନୁହେଁ ସେଥିପାଇଁ ବିଜେଡି କେତେ ଚାନ୍ଦା ପାଇଛି ତାହା ଲୁଚାଉଛି। ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ବିଜେଡି ପାଇଥିବା ଚାନ୍ଦାର ତଥ୍ୟ ନ ଦର୍ଶାଇବା ଅର୍ଥ ତାହା କଳା ଧନ।

ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ବିଜେଡି ବିଧାୟକ ପର୍ଶୁରାମ ଧଡା କହିଛନ୍ତି ଚିରାଚରିତ ଭାବେ ବିରୋଧୀ ଏମିତି ଅଭିଯୋଗ ଆଣନ୍ତି। ଏହା କିଛି ନୂଆ ନୁହେଁ। ଏବେ ଯଦି ତଥ୍ୟ ଦିଆ ହୋଇନି, ତେବେ ଆଗକୁ ଦିଆଯିବ।

Leave a Reply

Your email address will not be published. Required fields are marked *

Back to top button