ମହାନଦୀରେ ଓଡ୍ରାଫ୍‌ ବୋଟ ବୁଡ଼ି ଘଟଣାର ତଦନ୍ତ ଆରମ୍ଭ

ଭୁବନେଶ୍ୱର : ମହାନଦୀର ମୁଣ୍ଡଳି ଓଡ୍ରାଫ୍‌ ଡଙ୍ଗା ବୁଡ଼ି ଘଟଣାର ତଦନ୍ତ ଆରମ୍ଭ। ଓଡ୍ରାଫ୍‌ ଡଙ୍ଗାରେ ସାମ୍ବାଦିକ କେମିତି ରିପୋର୍ଟିଂ କରିବାକୁଗଲେ ତାହାର ତଦନ୍ତ ପାଇଁ ଏଡିଜି ଆରକେ ଶର୍ମା ଘଟଣାସ୍ଥଳକୁ ଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ କଟକର ମୁଣ୍ଡଳି ଠାରେ ଫସି ରହିଥିବା ହାତୀର ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଓଡ୍ରାଫ ଟିମର ବୋଟ, ହାତୀକୁ କୂଳକୁ ଆଣିବା ପାଇଁ ଉଦ୍ୟମ କରୁଥିଲା। ବୋଟରେ ଥିବା ୮ ଜଣଙ୍କ ମଧ୍ୟରେ ଓଟିଭିର ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ରହିଥିଲେ। କିନ୍ତୁ ପାଣିର ପ୍ରଖର ସୁଅ ବୋଟକୁ କିଛି ମିଟର ଦୂରରୁ ଭଉଁରି ଭିତରକୁ ଟାଣି ନେଇଥିଲା। ହାତୀ ସୁଅ କାଟି ଯାଉଥିବା ବେଳେ ବୋଟରେ ପଛୁଆ ପାଣି ମାଡ ହୋଇଥିଲା। ଆଉ ହଠାତ୍‌ ଇଞ୍ଜିନ ବନ୍ଦ ହୋଇ ଯାଇ ବୋଟ ଓଲଟି ପଡିଥିଲା।ଓଡ୍ରାଫ୍‌ ଟିମ୍‌ ସହ ସାମ୍ବାଦିକ ଅରିନ୍ଦମ ଦାସ ଓ ପ୍ରଭାତ ସିହ୍ନା ବଞ୍ଚିବା ପାଇଁ ଜୋରଦାର ପ୍ରୟାସ କରିଥିଲେ। ଓଡ୍ରାଫ୍‌ ଟିମର ସହକର୍ମୀ ପାଣି ଭିତରେ ଫସିଥିବା ସମସ୍ତଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ବ୍ୟାରେଜ୍‌ ଉପରୁ ରେସ୍କ୍ୟୁ ଦଉଡି ଓ ସିଡି ପକାଯାଇଥିଲା। ତାହା ସାହାଯ୍ୟରେ ସମସ୍ତେ ଉଠିବାକୁ ଚେଷ୍ଟା କରିଥିଲେ। ସାମ୍ବାଦିକ ଅରିନ୍ଦମ ଦାସ ଦଉଡ଼ି ଧରି ବାହାରି ଆସିବାକୁ କିଛି ସମୟ ସଂଘର୍ଷ କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ। ହାତରୁ ଦଉଡ଼ି ଖସିଯିବାରୁ ପାଣି ସୁଅରେ ଭାସି ଯାଇଥିଲେ।

କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ଦଉଡ଼ି ସାହାଯ୍ୟରେ ଅତି ଗୁରୁତର ଅବସ୍ଥାରେ ବ୍ୟାରେଜ୍‌ ଉପରକୁ ଆସିଥିଲେ। ଓଡ୍ରାଫ ଟିମର ୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା ହେଲେ ଜଣଙ୍କର ପତ୍ତା ମିଳିନଥିଲା। ପ୍ରାୟ ୨୫-୩୦ ମିନିଟ ପରେ ୪-୫ କିଲୋମିଟରରୁ ଅରିନ୍ଦମଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଅରିନ୍ଦମଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *

Back to top button