ଦ୍ଵିତୀୟ ବିବାହ ପାଇଁ ହଟହଟ୍ଟା : ପତ୍ନୀ ଓ ଝିଅ ଛେଚିଲେ
ଭୁବନେଶ୍ଵର : ରସିକ ପ୍ରବରଙ୍କୁ ଦ୍ଵିତୀୟ ବିବାହ ମହଙ୍ଗା ପଡିଲା। ବେଦୀରୁ ଟାଣି ଆଣି ଉତ୍ତମମଧ୍ୟମ ଦେଲେ ପ୍ରଥମ ପତ୍ନୀ ଓ ଦୁଇ ଝିଅ। ଏପରି ଘଟଣା ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ବାଳକାଟି ଦୁଲ୍ଲା ଦେବୀ ମନ୍ଦିରରେ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ହୋଇଛି।
ଖବର ଅନୁଯାୟୀ ଜଙ୍କିଆ ଥାନା ଅନ୍ତର୍ଗତ ଚନ୍ଦ୍ରମା ପାଟପୁର ଗାଁ’ର ଯୋଗେଶ ହାତୀ ଏରସମା ଅଂଚଳର ଅହଲ୍ୟାଙ୍କୁ ବିବାହ କରିଥିଲେ। ଏବେ ସେମାନଙ୍କର ଦୁଇଟି ଝିଅ ଅଛନ୍ତି। ପରିବାରରେ କୋଣସି ସମସ୍ୟା ନାହିଁ। ହେଲେ ଯୋଗେଶଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ରହିଥିବା ଜଣାପଡିବାରୁ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥିଲା।
ରବିବାର ଯୋଗେଶ କାହାକୁ ନଜଣାଇ ବାଳକାଟି ଦୁଲ୍ଲା ଦେବୀ ମନ୍ଦିରରେ ବିବାହ କରୁଥିବା ଅହଲ୍ୟାଙ୍କୁ ଖବର ମିଳିବାରୁ ସେ ଦୁଇ ଝିଅଙ୍କୁ ଧରି ସେଠାରେ ପହଞ୍ଚିଥିଲେ। ଯୋଗେଶଙ୍କୁ ବିବାହ ବେଦୀରେ ଦେଖି କରିଥିଲେ ହଙ୍ଗାମା। ଏହାଦେଖି ସ୍ଥାନୀୟ ଲୋକେ ଥାନାକୁ ଖବର ଦେଇଥିଲେ। ଏହା ଜାଣି ବିବାହ କରୁଥିବା ଯୁବତୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ବାଳକାଟି ଫାଣ୍ଡି ପୋଲିସ ଯୋଗେଶକୁ ଅଟକ ରଖିଥିବା ଜଣାପଡିଛି।